ଭୁବନେଶ୍ୱର/ ପଟ୍ଟାମୁଣ୍ଡାଇ: ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଆଜିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜଧାନୀ ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖରାପ ପାଗ ଓ ବାତ୍ୟା ବିପଦକୁ ଆଖି ଆଗରେ ରଖି ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ସମସ୍ତ ରାତ୍ରୀଯାପନ ସଂରକ୍ଷଣକୁ ବାତିଲ କରିଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀପଥରେ ବୋଟ୍ ଚଳାଚଳ ଓ ଜଙ୍ଗଲ ଭିତରକୁ ପ୍ରବେଶ ବିପଜ୍ଜନକ ହୋଇପାରେ। ତେଣୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଏହି ତିନି ଦିନିଆ କଟକଣା ଲାଗୁ କରାଯାଇଛି।
ଅନ୍ୟପକ୍ଷରେ, ସମ୍ଭାବ୍ୟ ପ୍ରତିକୂଳ ପାଗ ଯୋଗୁଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉଦ୍ୟାନକୁ ଦୁଇ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ନନ୍ଦନକାନନ ନିକଟସ୍ଥ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ଦୁଇ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ପ୍ରବଳ ବର୍ଷା ଓ ପବନ ସମୟରେ ଗଛ ଡାଳ ଭାଙ୍ଗିବା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ପାଗରେ ସୁଧାର ଆସିବା ପରେ ଏବଂ ବନ ବିଭାଗ ପକ୍ଷରୁ ସ୍ଥିତି ସମୀକ୍ଷା କରାଯିବା ପରେ ପୁନର୍ବାର ପର୍ଯ୍ୟଟକଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସୂଚନା ଜାରି କରାଯିବ।


