ପୁରୀ: ବାତ୍ୟା ମୁକାବିଲାରେ ତତ୍ପର ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ। ଆଜି ବ୍ରହ୍ମଗିରିର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି। ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ସହ ସିଧା ଆଲୋଚନା କରି ସମସ୍ତ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ଏଥିସହିତ ଜିଲ୍ଲାପାଳ ଓ ଅଧିକାରୀମାନେ ଆଶ୍ରିତ ଲୋକଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି।
ବାତ୍ୟା ମୁକାବିଲା ପ୍ରସ୍ତୁତି ଭାବେ ଜିଲ୍ଲା ପ୍ରଶାସନ ପୁରୀର ବିପଦସଙ୍କୁଳ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି। ଅଧିକାରୀମାନେ କ୍ଷେତ୍ରସ୍ତରୀୟ ଦଳ ସହ ମିଶି ଲୋକମାନଙ୍କୁ ନିରାପଦରେ ନିର୍ଦ୍ଦିଷ୍ଟ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ପହଞ୍ଚାଉଛନ୍ତି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।
ତୁରନ୍ତ ସମନ୍ୱୟ ରକ୍ଷା କରିବା ଏବଂ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ସତର୍କ ଅଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଜିଲ୍ଲା ଜରୁରକାଳୀନ ଅପରେସନ କେନ୍ଦ୍ର(DEOC ),ପୁରୀ -୦୬୭୫୨-୨୨୩୨୩୬ ନମ୍ବରକୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।
ପୁରୀରେ ବାତ୍ୟା ଅକୱାନ ବିଶେଷ କ୍ଷତି କରିବାର ଆଶଙ୍କା ରହିଛି। ସମୁଦ୍ର କୂଳିଆ ସ୍ଥାନମାନଙ୍କରେ ବର୍ଷା ପାଣି ଜମି ରହି ବନ୍ୟା ପରି ସ୍ଥିତି ସୃଷ୍ଟି କରିପାରେ। ସେଥିପାଇଁ ପ୍ରଶାସନ ତରଫରୁ ଦିନରାତି ସଜାଗ ରହି ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥାନକୁ ନେବା ପାଇଁ ବନ୍ଦୋବସ୍ତ କରୁଛନ୍ତି।


