ରଣପୁର: ସମ୍ଭାବ୍ୟ ବାତ୍ୟା ‘ଆକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ରଣପୁର ଅଞ୍ଚଳର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ। ବାତ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା, ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେ ଆଶ୍ରୟସ୍ଥଳୀଗୁଡ଼ିକରେ ଉପଲବ୍ଧ ସୁବିଧାସୁଯୋଗ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ସେ ସାନଗଡ଼ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ଚମ୍ପାପେଡ଼ି ବାତ୍ୟା ଆଶ୍ରୟସ୍ଥଳୀ, ବାରଙ୍ଗଗାଡ଼ିଆ ବାତ୍ୟା ଆଶ୍ରୟସ୍ଥଳୀ, କେରେଣ୍ଡାଟାଙ୍ଗି ପଞ୍ଚାୟତର ମୁକ୍ତାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଚମ୍ପାଗଡ଼ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଆଶ୍ରୟ ନେଇଥିବା ଲୋକଙ୍କ ସୁବିଧା, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ।
ସୂଚନା ଅନୁଯାୟୀ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଆଶ୍ରୟସ୍ଥଳୀରେ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଶ୍ରୟ ଦିଆଯାଇଥିବା ବେଳେ ଅନ୍ୟ ପଞ୍ଚାୟତର ୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ବାତ୍ୟା ପ୍ରଭାବରେ ରଣପୁର ଅଞ୍ଚଳରେ ପ୍ରାଥମିକ ଆକଳନ ଅନୁଯାୟୀ ୨୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ଜଣାପଡ଼ିଛି। କ୍ଷୟକ୍ଷତିର ସବିଶେଷ ଆକଳନ ପରେ ଭାଙ୍ଗିଥିବା ଘରର ପ୍ରକୃତ ସଂଖ୍ୟା ଜଣାପଡ଼ିବ।
ଏହି ପରିଦର୍ଶନ ସମୟରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ରଣପୁର ବିଡିଓ ଅଶ୍ୱିନୀ କୁମାର ମହାପାତ୍ର, ଅତିରିକ୍ତ ବିଡିଓ ଅଭିନାଶ ପତିଙ୍କ ସମେତ ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ନିର୍ମଳ କୁମାର ମତଗଜସିଂ, ଅଭିଷେକ ସମାନ୍ତରାୟ ଓ ଗଣେଶ୍ୱର ମାନ୍ଧାତାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ଓ ଜନପ୍ରତିନିଧିମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ଏହି ପରିଦର୍ଶନରୁ ସ୍ପଷ୍ଟ ହୋଇଛି।


