ଇମ୍ଫାଲ: ମଦ ପିଇବାକୁ ଯାଇ ମୃତ୍ୟୁର ମୁହଁରେ ପଡ଼ିଲେ ଲୋକେ! ଖୁସିର ମାହୋଲ ମୁହୂର୍ତ୍ତକରେ ପାଲଟିଗଲା ଶୋକର ବାତାବରଣରେ। ଅପମିଶ୍ରିତ ମଦ ପିଇ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଥିବାରୁ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଖେଳିଯାଇଛି ଆତଙ୍କ। ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ଅପମିଶ୍ରିତ ମଦ୍ୟପାନ କରି ଅସୁସ୍ଥ ହୋଇଥିବା ଲୋକଙ୍କୁ ମଣିପୁର ପଶ୍ଚିମର ଶିଜା ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ମଣିପୁର ପୂର୍ବର ବବିନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶାସନର ନଜର ରହିଛି।
ଘଟଣାର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ଗୁରୁତର ରୋଗୀଙ୍କୁ ଭେଟିବା ସହ ଡାକ୍ତରୀ ଟିମ୍ଙ୍କ ସହ ଆଲୋଚନା କରି ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆବଶ୍ୟକ ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ମଦମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ରିପୋର୍ଟ ମାଗିଛନ୍ତି।
ଅନ୍ୟପଟେ, ଚାନ୍ଦେଲ ଜିଲ୍ଲାର ପ୍ରଭାବିତ ଗ୍ରାମଗୁଡ଼ିକୁ ଏକ ଡାକ୍ତରୀ ଦଳ ପଠାଯାଇଛି। ଏହି ଟିମ୍ରେ ଡାକ୍ତରଙ୍କ ସହ ମେଡିକାଲ ଷ୍ଟାଫ୍ ମଧ୍ୟ ରହିଛନ୍ତି। ଗ୍ରାମାଞ୍ଚଳରେ ଅସୁସ୍ଥ ଲୋକଙ୍କ ଚିହ୍ନଟ, ଚିକିତ୍ସା ଓ ସ୍ଥିତିର ଅନୁଧ୍ୟାନ କରାଯାଉଛି।
ତେବେ ଅପମିଶ୍ରିତ ମଦରେ କେଉଁ ବିଷାକ୍ତ ପଦାର୍ଥ ମିଶିଥିଲା, ଏତେ ବଡ଼ ଧରଣର ମୃତ୍ୟୁର କାରଣ କ’ଣ ଏବଂ ଏହା ପଛରେ କେଉଁମାନଙ୍କ ହାତ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଓ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ।


