ଜୟପୁର: ଗାଁରୁ ଉଠିଲା ପରିବର୍ତ୍ତନର ସ୍ୱର! ଶାସକ ବିଜେପିକୁ ଗ୍ରାମାଞ୍ଚଳରେ ଲାଗିଲା ବଡ଼ ଝଟକା। ପଞ୍ଚାୟତିରାଜ ନିର୍ବାଚନରେ କଂଗ୍ରେସର ଦମଦାର ପ୍ରଦର୍ଶନ ପରେ ରାଜସ୍ଥାନ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ବିଜେପିକୁ ପଛରେ ପକାଇ ଆଗୁଆ ରହିଛି। ଏହି ବିଜୟକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ ବିଜେପି ପାଇଁ ଏହା ଏକ ବଡ଼ ରାଜନୈତିକ ଝଟକା ବୋଲି ଚର୍ଚ୍ଚା ହେଉଛି।
ନିର୍ବାଚନ ଫଳାଫଳ ପରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ଗ୍ରାମାଞ୍ଚଳର ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଜନାଦେଶ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସର ପ୍ରତିଫଳନ ବୋଲି କହିଛନ୍ତି। ତେବେ ଏହି ବିଜୟ କେବଳ ରାଜସ୍ଥାନରେ ସୀମିତ ନୁହେଁ, ବରଂ ଦେଶର ଗାଁ ଗାଁରେ ଥିବା ଅସନ୍ତୋଷର ସ୍ୱର ବୋଲି ରାହୁଲ ଦାବି କରିଛନ୍ତି।
ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ଲୋକେ କଂଗ୍ରେସ ଉପରେ ଯେଉଁ ଭରସା ଦେଖାଇଛନ୍ତି, ତାହା ଦଳ ପାଇଁ ଏକ ବଡ଼ ଦାୟିତ୍ୱ। ବିଜେପିର ନୀତି ଓ ଶାସନ ବ୍ୟବସ୍ଥାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁସାରେ, ବିଜେପି ମନରେଗା ଉପରେ ଆକ୍ରମଣ କରିଛି, ଚାଷୀଙ୍କୁ କ୍ଷତିରେ ପକାଇଛି ଏବଂ ପଞ୍ଚାୟତର ଅଧିକାରକୁ ସଂକୁଚିତ କରିଛି। ଅନ୍ୟପଟେ ମୁଦ୍ରାସ୍ଫୀତି, ବେକାରୀ ଓ ଗ୍ରାମାଞ୍ଚଳରୁ ପ୍ରବାସ ଭଳି ସମସ୍ୟା ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ଏତେଦିନ ଧରି ଗାଁର ଲୋକେ ସବୁକିଛି ଦେଖୁଥିଲେ ଓ ସହ୍ୟ କରୁଥିଲେ। ଏବେ ନିର୍ବାଚନ ମାଧ୍ୟମରେ ନିଜ ମତ ଜଣାଇଛନ୍ତି ବୋଲି ରାହୁଲ କହିଛନ୍ତି।
କଂଗ୍ରେସର ଏହି ବିଜୟକୁ ନେଇ ଦଳର ମିଡିଆ ବିଭାଗ ମୁଖ୍ୟ ପବନ ଖେରା ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ସେ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି, ରାଜସ୍ଥାନରେ ମୋଦୀଙ୍କ ପ୍ରଚଣ୍ଡ ଲୋକପ୍ରିୟତା ପାଇଁ କେହି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କି?
ପବନ ଖେରାଙ୍କ ଦାବି ଅନୁସାରେ, ମୋଟ ୪,୯୫୮ଟି ପଞ୍ଚାୟତ ସମିତି ଆସନ ମଧ୍ୟରୁ କଂଗ୍ରେସ ୨,୪୬୩ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମିଳିଛି ମାତ୍ର ୧,୫୧୨ଟି ଆସନ। ଏହି ତଥ୍ୟକୁ ଆଧାର କରି ସେ ଶାସକ ଦଳର ନିର୍ବାଚନୀ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ ଅନୁସାରେ, ପୂର୍ବରୁ ଥିବା ୩୫୨ଟି ପଞ୍ଚାୟତ ସମିତି ମଧ୍ୟରୁ ବିଜେପି ୧୨୯ଟିରେ ବିଜୟୀ ହୋଇଥିଲା। କିନ୍ତୁ ପଞ୍ଚାୟତ ସମିତି ସଂଖ୍ୟା ୪୫୭କୁ ବୃଦ୍ଧି ପାଇବା ପରେ ବିଜେପି ମାତ୍ର ୬୯ଟିରେ ସଫଳତା ପାଇଥିବାବେଳେ କଂଗ୍ରେସ ୨୬୪ଟିରେ ବିଜୟ ହାସଲ କରିଛି ବୋଲି ସେ ଦାବି କରିଛନ୍ତି।
ନିର୍ବାଚନ ଫଳାଫଳକୁ ନେଇ ରାଜସ୍ଥାନ କଂଗ୍ରେସ ମଧ୍ୟ ଆକ୍ରମଣାତ୍ମକ ହୋଇପଡ଼ିଛି। ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତାସରା ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା ଦାବି କରିଛନ୍ତି। ତାଙ୍କ ମତରେ, ଜିଲ୍ଲା ପରିଷଦ ଓ ପଞ୍ଚାୟତିରାଜ ନିର୍ବାଚନରେ ବିଜେପିର ଏଭଳି ପ୍ରଦର୍ଶନ ପରେ ସରକାର ନୈତିକ ଦାୟିତ୍ୱ ନେବା ଉଚିତ।
ଗ୍ରାମାଞ୍ଚଳର ଭୋଟରମାନେ ଶାସକ ଦଳକୁ ପ୍ରତ୍ୟାଖ୍ୟାନ କରିଥିବା ଏହି ଫଳାଫଳରୁ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ଏବେ ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମାଞ୍ଚଳର ଏହି ଜନାଦେଶ ଆଗାମୀ ଦିନରେ ରାଜ୍ୟର ରାଜନୈତିକ ସମୀକରଣକୁ କେତେ ପ୍ରଭାବିତ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।


