କଟକ: କଟକ ସହରରେ ଭୟଙ୍କର ଅଗ୍ନିକାଣ୍ଡ। ଲିଙ୍କ୍ ରୋଡ୍ ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜ୍ରେ ନିଆଁ ଲାଗି ଜଳିଗଲା ୭ରୁ ୮ଟି ବସ୍। ହଠାତ୍ ଗୋଟିଏ ବସ୍ରୁ ନିଆଁ ବ୍ୟାପି ଅନ୍ୟ ବସ୍ଗୁଡ଼ିକୁ ମାଡ଼ିଯାଇଥିବା ସୂଚନା ମିଳିଛି। ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳିଥିଲା ଗୋଟିଏ ପରେ ଗୋଟିଏ ବସ୍। ଏହି ଅଗ୍ନିକାଣ୍ଡକୁ ନେଇ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗ୍ୟାରେଜ୍ରେ ଏକାଧିକ ବସ୍ ପାର୍କିଂ ହୋଇ ରହିଥିବାବେଳେ ହଠାତ୍ ସେଥିରେ ନିଆଁ ଲାଗିଥିଲା। ଖାଲି ବସ୍ଗୁଡ଼ିକ ଗ୍ୟାରେଜ୍ରେ ରହିଥିବାରୁ ଅଗ୍ନିକାଣ୍ଡ ସମୟରେ କୌଣସି ଯାତ୍ରୀ ନଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଅଳ୍ପ ସମୟ ମଧ୍ୟରେ ଏକାଧିକ ବସ୍ ଏହାର କବଳକୁ ଆସିଯାଇଥିଲା।
ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା, ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ଆକଳନ କରାଯାଇନାହିଁ।


