ନୂଆଦିଲ୍ଲୀ: ୧୧୬ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁଏର୍ଟୋ ରିକୋର ଜେନିଫର୍ ବାରେଟୋ ‘ବିଶ୍ୱସୁନ୍ଦରୀ-୨୦୨୬’ (ମିସ୍ ୟୁନିଭର୍ସ ୨୦୨୬) ମୁକୁଟ ହାସଲ କରିଛନ୍ତି । ଭେନେଜୁଏଲାର କ୍ଲାରା ଗୋଏଟଜ୍ ଏବଂ ଡୋମିନିକାନ୍ ରିପବ୍ଲିକର ମେଲିସା ନୁନେଜ୍ ଚୂଡ଼ାନ୍ତ ପର୍ଯ୍ୟାୟରେ (ଫାଇନାଲିଷ୍ଟ) ପହଞ୍ଚିଥିବା ବେଳେ ଭାରତର ୧୯ ବର୍ଷୀୟା ପ୍ରତିଯୋଗୀ କାଜିଆ ଲିଜ୍ ମେଜୋ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରୁ ବଞ୍ଚିତ ହେବା ପରେ ଭାରତର ଆଶା ଧୂଳିସାତ୍ ହୋଇଯାଇଛି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତାର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ବିଜୟିନୀଙ୍କ ନାମ ଘୋଷଣା କରାଯାଇ ଲେଖାଯାଇଛି ଯେ, “ବ୍ରହ୍ମାଣ୍ଡ ତା’ର ନୂଆ ରାଣୀ, ପୁଏର୍ଟୋ ରିକୋର ଜେନିଫର୍ ବାରେଟୋଙ୍କୁ ସ୍ୱାଗତ କରୁଛି!”
କେରଳର ଆଇନ ଛାତ୍ରୀ ମେଜୋ ‘ଇଭିନିଂ ଗାଉନ୍’ ପର୍ଯ୍ୟାୟ ପୂର୍ବରୁ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରିନଥିଲେ, ଯାହାଫଳରେ ଏହି ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ତାଙ୍କର ଯାତ୍ରା ଶେଷ ହୋଇଥିଲା । ତେବେ କେରଳ ପାଇଁ ତାଙ୍କର ଏହି ଅଂଶଗ୍ରହଣ ବେଶ୍ ସ୍ୱତନ୍ତ୍ର ଥିଲା, କାରଣ ସେ ରାଜ୍ୟର ପ୍ରଥମ ମହିଳା ଭାବେ ‘ମିସ୍ ୟୁନିଭର୍ସ ଇଣ୍ଡିଆ’ (ଭାରତୀୟ ସୁନ୍ଦରୀ) ଟାଇଟଲ୍ ଜିତିଥିଲେ । ମୂଳତଃ ମାଭେଲିକାରାର ବାସିନ୍ଦା ମେଜୋ ଆବୁଧାବିରେ ବଢ଼ିଥିଲେ, ଯେଉଁଠାରେ ସେ ଏମିରେଟ୍ସ ନ୍ୟାସନାଲ ସ୍କୁଲ, ସେଣ୍ଟ ଜୋସେଫ୍ ସ୍କୁଲ ଏବଂ ଆବୁଧାବି ଇଣ୍ଡିଆନ ସ୍କୁଲରେ ପାଠ ପଢ଼ିଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ ଡିଗ୍ରୀ ଅଧ୍ୟୟନ କରିବା ସହିତ ମଡେଲିଂ ମଧ୍ୟ କରୁଛନ୍ତି । ଏହି ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ପୁଏର୍ଟୋ ରିକୋର ସାନ୍ ଜୁଆନ୍ ସ୍ଥିତ ଜୋସେ ମିଗୁଏଲ୍ ଆଗ୍ରେଲଟ୍ କୋଲିସିୟମରେ ଏହାର ଭବ୍ୟ ଚୂଡ଼ାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ବିଦାୟୀ ବିଶ୍ୱସୁନ୍ଦରୀ ଫାତିମା ବୋଶ ତାଙ୍କର ଉତ୍ତରାଧିକାରୀଙ୍କୁ ମୁକୁଟ ପିନ୍ଧାଇଥିଲେ ।
ଏହି ବିଜୟ ସହିତ ବାରେଟୋ ପୁଏର୍ଟୋ ରିକୋରୁ ବିଶ୍ୱସୁନ୍ଦରୀ ମୁକୁଟ ଜିତିବାରେ ଷଷ୍ଠ ମହିଳା ହୋଇପାରିଛନ୍ତି । ସେ ଦେଶର ପୂର୍ବତନ ବିଜୟିନୀ ମାରିସୋଲ୍ ମାଲାରେଟ୍ (୧୯୭୦), ଡେବୋରା କାର୍ଥି-ଡିଉ (୧୯୮୫), ଦୟାନାରା ଟୋରେସ୍ (୧୯୯୩), ଡେନିସ୍ କ୍ୱିନୋନେସ୍ (୨୦୦୧) ଏବଂ ଜୁଲେକା ରିଭେରା (୨୦୦୬)ଙ୍କ ତାଲିକାରେ ସାମିଲ ହୋଇଛନ୍ତି ।
ମଜାଦାର କଥା ହେଉଛି, ବାରେଟୋଙ୍କ ଏହି ବିଜୟ ୨୦୦୧ ମସିହାର ସ୍ମୃତିକୁ ତାଜା କରିଦେଇଛି, ଯେତେବେଳେ ପୁଏର୍ଟୋ ରିକୋର ବାୟାମୋନଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଡେନିସ୍ କ୍ୱିନୋନେସ୍ ନିଜ ଘରୋଇ ମାଟିରେ ଏହି ମୁକୁଟ ଜିତିଥିଲେ । ଅନ୍ୟପକ୍ଷରେ, ଭାରତ ଏପର୍ଯ୍ୟନ୍ତ ତିନିଥର ବିଶ୍ୱସୁନ୍ଦରୀ ମୁକୁଟ ହାସଲ କରିଛି। ୧୯୯୪ରେ ସୁସ୍ମିତା ସେନ୍ ପ୍ରଥମେ ଏହି ଟାଇଟଲ୍ ଦେଶକୁ ଆଣିଥିବା ବେଳେ ୨୦୦୦ରେ ଲାରା ଦତ୍ତ ଏବଂ ୨୦୨୧ରେ ହରନାଜ୍ ସାନ୍ଧୁ ଏହି ଗୌରବ ଅର୍ଜନ କରିଥିଲେ ।


