କଟକ: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ଯୁବକଙ୍କର ମହାନଦୀରେ ବୁଡ଼ି ମୃତ୍ୟୁ ଘଟିବା ପରେ ମେଳା ପରିସରରେ ଶୋକର ଛାୟା ଖେଳିଯାଇଛି। ଆଜି ମଧ୍ୟାହ୍ନରେ ନଦୀକୂଳକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ ଏବଂ ଦୀର୍ଘ ସମୟର ଉଦ୍ଧାର କାର୍ଯ୍ୟ ପରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ମୃତକ ଜଣକ ପଶ୍ଚିମବଙ୍ଗର ପରଗଣା ଅଞ୍ଚଳର ୨୪ ବର୍ଷୀୟ ଶଙ୍କର ମିସ୍ତ୍ରୀ ବୋଲି ଚିହ୍ନଟ କରାଯାଇଛି।
ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ଶଙ୍କର ଶୌଚ ହେବା ପାଇଁ ମହାନଦୀ କୂଳକୁ ଯାଇଥିଲେ। ସେହି ସମୟରେ ହଠାତ୍ ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ଖସିପଡ଼ି ବୁଡ଼ି ଯାଇଥିଲେ। ତାଙ୍କୁ ନଦୀରେ ବୁଡ଼ି ଯାଉଥିବା ଦେଖି ଆଖପାଖରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀର ୩ଟି ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ଧରି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଶେଷରେ ନଦୀ ଭିତରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଶାନ୍ତ ଧଳ କହିଛନ୍ତି ଯେ, ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ଯୁବକଙ୍କ ଗୋଡ଼ ଖସିଯିବାରୁ ଏହି ଅଘଟଣ ଘଟିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ବାଲିଯାତ୍ରାରେ ଆସିଥିବା ଅନ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ଦେଖାଦେଇଛି। ଦୂରଦୂରାନ୍ତରୁ ହଜାର ହଜାର ବ୍ୟବସାୟୀ ଏଠାକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ମୌଳିକ ଆବଶ୍ୟକତା ପ୍ରତି ପ୍ରଶାସନର ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ କିମ୍ବା ଆନୁଷ୍ଠାନିକ ବୟାନ ଆସିନାହିଁ। ଏତେ ବଡ଼ ମେଳାରେ ବ୍ୟବସାୟୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି।


