ୱାଶିଂଟନ: ଆମେରିକାର ଟାରିଫ୍ ରାଜନୀତିକୁ ନେଇ ପୁଣିଥରେ ବିଶ୍ୱ ବାଣିଜ୍ୟ ଜଗତରେ ହଲଚଲ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ରଣନୀତି ଏବେ ଭାରତଠାରୁ ଆରମ୍ଭ କରି ଚୀନ୍ ଓ ୟୁରୋପୀୟ ସଂଘ ପର୍ଯ୍ୟନ୍ତ ଅନେକ ଦେଶର ଚିନ୍ତା ବଢ଼ାଇଛି।
ଆମେରିକା ବାଣିଜ୍ୟ ପ୍ରତିନିଧି (USTR) ପକ୍ଷରୁ ଭାରତ ଉପରେ ୨୫ ପ୍ରତିଶତ, ଚୀନ୍ ଉପରେ ୪୦ ପ୍ରତିଶତ ଏବଂ ଭିଏତନାମ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତାବ ରଖାଯାଇଥିବା ରଏଟର୍ସ ରିପୋର୍ଟରୁ ଜଣାପଡ଼ିଛି। ଏହାବ୍ୟତୀତ କାମ୍ବୋଡିଆ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ମାଲେସିଆ, ତାଇୱାନ ଓ ଥାଇଲ୍ୟାଣ୍ଡ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ପ୍ରସ୍ତାବ ରହିଛି। ସେହିପରି ବାଂଲାଦେଶ, ୟୁରୋପୀୟ ସଂଘ, ଜାପାନ, ସ୍ୱିଜରଲ୍ୟାଣ୍ଡ ଓ ସିଙ୍ଗାପୁର ପାଇଁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ଯୋଜନା ରହିଛି। ତେବେ କେତେକ ଦେଶ ପାଇଁ ଏହି ଶୁଳ୍କ ହାରକୁ ଆହୁରି କମ୍ କରିବାର ପ୍ରସ୍ତାବ ମଧ୍ୟ ରହିଛି।
କାମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଓ ବାଂଲାଦେଶ ପାଇଁ ଏହା ସର୍ବାଧିକ ୧୮ ପ୍ରତିଶତ ଏବଂ ଦକ୍ଷିଣ କୋରିଆ, ତାଇୱାନ, ୟୁରୋପୀୟ ସଂଘ, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପାଇଁ ୧୫ ପ୍ରତିଶତ ରହିବାର ସୂଚନା ମିଳିଛି। ଚୀନ୍ କ୍ଷେତ୍ରରେ ପୂର୍ବରୁ ଲାଗୁ ଥିବା ଶୁଳ୍କ ଉପରେ ଅତିରିକ୍ତ ୨୦ ପ୍ରତିଶତ ଲାଗୁ କରିବାର ପ୍ରସ୍ତାବ ରହିଛି। ଏଭଳି ସ୍ଥିତିରେ ଭାରତ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମେରିକା ସହ ବାଣିଜ୍ୟ ସମ୍ପର୍କରେ ପୁଣି ତିକ୍ତତା ବଢ଼ିବ କି? କିଛି ମାସ ପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଶୁଳ୍କ ନୀତିରେ ପରିବର୍ତ୍ତନ ଓ ଆଲୋଚନା ଆଗକୁ ବଢ଼ିବାର ସଙ୍କେତ ମିଳିଥିଲା। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଆମେରିକା ସହ ବାଣିଜ୍ୟ ଚୁକ୍ତି ଖୁବ୍ଶୀଘ୍ର ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। କିନ୍ତୁ ଏବେ ପୁଣି ନୂଆ ଶୁଳ୍କ ପ୍ରସ୍ତାବ ଆସିବା ଏହି ଆଲୋଚନାକୁ ଜଟିଳ କରିପାରେ।
ଯଦି ଭାରତୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ ହୁଏ, ତେବେ ଆମେରିକା ବଜାରରେ ଭାରତୀୟ ସାମଗ୍ରୀର ମୂଲ୍ୟ ବଢ଼ିବା ସହ ରପ୍ତାନିକାରୀଙ୍କ ପ୍ରତିଦ୍ୱନ୍ଦ୍ୱିତା କ୍ଷମତା ହ୍ରାସ ପାଇପାରେ। ବିଶେଷକରି ବୟନଶିଳ୍ପ, ଔଷଧ, ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ଉତ୍ପାଦ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟପଟେ ଚୀନ୍ ଉପରେ ଅଧିକ ଶୁଳ୍କ ଲାଗୁ ହେଲେ ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କରେ ମଧ୍ୟ ନୂଆ ଉତ୍ତେଜନା ସୃଷ୍ଟି ହୋଇପାରେ। ଏହାର ପ୍ରଭାବ ବିଶ୍ୱ ଯୋଗାଣ ବ୍ୟବସ୍ଥା, ଆମଦାନୀ ଖର୍ଚ୍ଚ ଓ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିବା ସମ୍ଭାବନା ରହିଛି। ତେଣୁ ଟ୍ରମ୍ପଙ୍କ ଏହି ନୂଆ ଟାରିଫ୍ ରଣନୀତି କେବଳ କିଛି ଦେଶର ବାଣିଜ୍ୟକୁ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିର ସମୀକରଣକୁ ପ୍ରଭାବିତ କରିପାରେ। ଏବେ ସମସ୍ତଙ୍କ ନଜର ଆମେରିକାର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ। ପ୍ରସ୍ତାବିତ ଶୁଳ୍କ କାର୍ଯ୍ୟକାରୀ ହେବ ନା ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


