ଭୁବନେଶ୍ୱର: ଆଜିକାଲି ଡିଜିଟାଲ୍ କାରବାର ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ ହେଉ କି ଅନଲାଇନ୍ ସପିଂ, କ୍ରେଡିଟ୍ କାର୍ଡ ପେମେଣ୍ଟ ହେଉ କି ଅନ୍ୟ କୌଣସି ଡିଜିଟାଲ୍ ସେବାର ବ୍ୟବହାର, ପ୍ରାୟ ପ୍ରତ୍ୟେକ ପଦକ୍ଷେପରେ ଆମ ମୋବାଇଲ୍କୁ ଆସିଥାଏ ଏକ OTP। ଏହି ଛୋଟ ଚାରି କିମ୍ବା ଛଅ ଅଙ୍କର କୋଡ୍ଟି ଆମ ଡିଜିଟାଲ୍ କାରବାରର ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। କିନ୍ତୁ କେବେ ଭାବିଛନ୍ତି କି, ଏହି OTP ବ୍ୟବସ୍ଥା କେଉଁଠାରୁ ଆରମ୍ଭ ହୋଇଥିଲା? କିଏ ଦେଇଥିଲେ ଏହି ଅଭିନବ ଚିନ୍ତାଧାରା? ଏହା ପଛରେ ରହିଛି କ୍ରେଡିଟ୍ କାର୍ଡ ଠକେଇକୁ ରୋକିବା ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସହଜ କରିବାର ଏକ ରୋଚକ କାହାଣୀ।
କ୍ରେଡିଟ୍ କାର୍ଡ ଠକେଇରୁ ଜନ୍ମ ନେଇଥିଲା OTPର ଧାରଣା
IIT ମାଡ୍ରାସର ପ୍ରଫେସର ତଥା ଉଦ୍ୟୋଗୀ ଡକ୍ଟର ଅଶୋକ ଝୁନଝୁନୱାଲା ଏକ ସାକ୍ଷାତକାରରେ OTP ବ୍ୟବସ୍ଥାର ପ୍ରାରମ୍ଭିକ ଚିନ୍ତାଧାରା ସମ୍ପର୍କରେ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ‘ଜିନ୍ଦେଗି ୱିଥ୍ ରିଚା’ ସହ ଆଲୋଚନା ବେଳେ ସେ କହିଥିଲେ ଯେ ପ୍ରାୟ ୨୦୦୫ ମସିହାରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଡିଜିଟାଲ୍ କରିବା ଏବଂ କ୍ରେଡିଟ୍ କାର୍ଡ ଠକେଇ ରୋକିବା ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ ସେ ପ୍ରତ୍ୟେକ କାରବାର ପୂର୍ବରୁ ଗ୍ରାହକଙ୍କ ମୋବାଇଲ୍କୁ SMS ମାଧ୍ୟମରେ ଏକ ସ୍ୱତନ୍ତ୍ର କୋଡ୍ ପଠାଇବାର ପ୍ରସ୍ତାବ ଦେଇଥିଲେ। ଗ୍ରାହକ ସେହି କୋଡ୍କୁ ପ୍ରବେଶ କରିବା ପରେ ହିଁ କାରବାର ସମ୍ପୂର୍ଣ୍ଣ ହେବ। ଏହାଦ୍ୱାରା କାର୍ଡର ତଥ୍ୟ ଅନ୍ୟ କାହା ହାତରେ ପଡ଼ିଲେ ମଧ୍ୟ ଠକେଇ କରିବା ସହଜ ହେବ ନାହିଁ।
ବ୍ୟାଙ୍କରୁ ଟଙ୍କା ଉଠାଇବା ଅପେକ୍ଷା ଡିଜିଟାଲ୍ ପେମେଣ୍ଟ ଶସ୍ତା
ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ର ଆବଶ୍ୟକତା ବୁଝାଇବାକୁ ଯାଇ ଅଶୋକ ଝୁନଝୁନୱାଲା ବ୍ୟାଙ୍କିଙ୍ଗ୍ କାରବାରର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ଉଦାହରଣ ଦେଇଥିଲେ। ତାଙ୍କ କହିବା ଅନୁସାରେ, ଜଣେ ଗ୍ରାହକ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇଲେ ବ୍ୟାଙ୍କକୁ ପ୍ରାୟ ୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ସେହିପରି ATMରୁ ଟଙ୍କା ଉଠାଣ ପାଇଁ ପ୍ରାୟ ୧୨ ଟଙ୍କା ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗୋଟିଏ କାରବାର ପାଇଁ ମାତ୍ର ୨ ଟଙ୍କା ଖର୍ଚ୍ଚ ହେଉଥିଲା।
ଏହି ତୁଳନାରୁ ସେ ଅନୁଭବ କରିଥିଲେ ଯେ ଭବିଷ୍ୟତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଡିଜିଟାଲ୍ କାରବାର ଉପରେ ନିର୍ଭର କରିବ। ତେଣୁ ଅଧିକରୁ ଅଧିକ ଲୋକଙ୍କୁ କ୍ରେଡିଟ୍ କାର୍ଡ ଯୋଗାଇ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ହେଲେ ଏଥିରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା ଠକେଇର ଭୟ।
ଠକେଇ ରୋକିବାକୁ ଦେଇଥିଲେ ନୂଆ ପ୍ରସ୍ତାବ
ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ସମସ୍ତଙ୍କୁ କ୍ରେଡିଟ୍ କାର୍ଡ ଦିଆଗଲେ ଠକେଇ ମାମଲା ବଢ଼ିବାର ଆଶଙ୍କା ରହିଛି। ଏହାର ସମାଧାନ ପାଇଁ ଅଶୋକ ଝୁନଝୁନୱାଲା ଏକ ନୂଆ ପଦ୍ଧତିର ପରିକଳ୍ପନା କରିଥିଲେ। ତାଙ୍କ ପ୍ରସ୍ତାବ ଅନୁସାରେ, ପ୍ରତ୍ୟେକ କାରବାର ସମୟରେ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ସ୍ୱତନ୍ତ୍ର କୋଡ୍ ପଠାଯିବ। ଗ୍ରାହକ ସେହି କୋଡ୍ ଦେବା ପରେ ହିଁ ପେମେଣ୍ଟ ସମ୍ପୂର୍ଣ୍ଣ ହେବ।
ଅର୍ଥାତ୍, କେବଳ କ୍ରେଡିଟ୍ କାର୍ଡର ନମ୍ବର କିମ୍ବା ଅନ୍ୟାନ୍ୟ ତଥ୍ୟ ଜାଣିଥିଲେ ଜଣେ ବ୍ୟକ୍ତି ଆଉ ସହଜରେ ଟଙ୍କା ଟ୍ରାନ୍ସଫର୍ କିମ୍ବା ପେମେଣ୍ଟ କରିପାରିବେ ନାହିଁ। ଏଥିପାଇଁ ଗ୍ରାହକଙ୍କ ମୋବାଇଲ୍କୁ ଆସିଥିବା କୋଡ୍ର ମଧ୍ୟ ଆବଶ୍ୟକତା ରହିବ। ଏହି ଚିନ୍ତାଧାରା ହିଁ ପରବର୍ତ୍ତୀ ସମୟରେ OTP ଭିତ୍ତିକ ସୁରକ୍ଷା ବ୍ୟବସ୍ଥାର ମୂଳ ଆଧାର ହୋଇଥିଲା।
୨୦୦୫ରେ SMS ପଠାଇବା ଥିଲା ବଡ଼ ଚ୍ୟାଲେଞ୍ଜ
ବର୍ତ୍ତମାନ ମୋବାଇଲ୍କୁ କିଛି ସେକେଣ୍ଡ ମଧ୍ୟରେ OTP ପହଞ୍ଚିଯାଉଛି। କିନ୍ତୁ ୨୦୦୫ ମସିହାରେ ପରିସ୍ଥିତି ଏତେ ସହଜ ନଥିଲା। ସେତେବେଳେ ତୁରନ୍ତ SMS ପହଞ୍ଚାଇବାର ବ୍ୟବସ୍ଥା ସାଧାରଣ ନଥିଲା। ଏଥିସହ SMS ପଠାଇବାର ଖର୍ଚ୍ଚ ମଧ୍ୟ ଅଧିକ ଥିଲା। ତେଣୁ ପ୍ରତ୍ୟେକ କାରବାର ପାଇଁ ତତ୍କାଳ କୋଡ୍ ପଠାଇବା ଏକ ବଡ଼ ବୈଷୟିକ ଚ୍ୟାଲେଞ୍ଜ ଥିଲା।
ସେହି ସମୟରେ ଅଶୋକ ଝୁନଝୁନୱାଲା ଟାଟା ଟେଲିସର୍ଭିସେସ୍ର ବୋର୍ଡରେ ମଧ୍ୟ ଥିଲେ। ସେ ଏହି ପ୍ରସଙ୍ଗରେ ଟେଲିକମ୍ କମ୍ପାନୀ ସହ ଆଲୋଚନା କରିଥିଲେ। ପ୍ରକୃତ ସମୟରେ SMS ପଠାଇବା ସମ୍ଭବ କି ନାହିଁ, ସେନେଇ ପ୍ରଶ୍ନ କରିଥିଲେ। କମ୍ପାନୀ ପକ୍ଷରୁ ଏହା ବୈଷୟିକ ଭାବେ ସମ୍ଭବ ବୋଲି ସୂଚନା ମିଳିଥିଲା। ଏହାପରେ ଏହି ଧାରଣାକୁ ବାସ୍ତବ ରୂପ ଦେବା ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା।
କିଏ ଦେଇଥିଲେ OTP ନାମ?
ଏହି ପ୍ରକ୍ରିୟା ମଧ୍ୟରେ ଏହି ସ୍ୱତନ୍ତ୍ର କୋଡ୍କୁ OTP ବୋଲି ନାମ ଦିଆଯାଇଥିଲା। OTPର ପୂରା ଅର୍ଥ ହେଉଛି ‘One Time Password’ ବା ଏକକାଳୀନ ପାସୱାର୍ଡ। ନାମରୁ ହିଁ ସ୍ପଷ୍ଟ, ଏହି କୋଡ୍କୁ ଗୋଟିଏ ନିର୍ଦ୍ଦିଷ୍ଟ କାରବାର କିମ୍ବା ଯାଞ୍ଚ ପାଇଁ ଥରେ ମାତ୍ର ବ୍ୟବହାର କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କ ପରିଚୟ ଯାଞ୍ଚ କରିବା ଏବଂ ଅନଧିକୃତ କାରବାରର ଆଶଙ୍କା କମାଇବା।
ଆଜି ଡିଜିଟାଲ୍ ଜୀବନର ସୁରକ୍ଷା କବଚ OTP
ସମୟ ବଦଳିବା ସହ OTPର ବ୍ୟବହାର ମଧ୍ୟ ବ୍ୟାପକ ହୋଇଛି। ଆଜି କେବଳ ବ୍ୟାଙ୍କିଙ୍ଗ୍ କିମ୍ବା କ୍ରେଡିଟ୍ କାର୍ଡ ପେମେଣ୍ଟ ନୁହେଁ, ଅନଲାଇନ୍ ସପିଂ, ମୋବାଇଲ୍ ଆପ୍ରେ ଲଗ୍ଇନ୍, ନୂଆ ଆକାଉଣ୍ଟ ଖୋଲିବା, ପାସୱାର୍ଡ ବଦଳାଇବା ଏବଂ ବିଭିନ୍ନ ଡିଜିଟାଲ୍ ସେବାରେ ମଧ୍ୟ OTP ବ୍ୟବହାର କରାଯାଉଛି। ତେବେ OTP ଯେତେ ସୁରକ୍ଷା ଦିଏ, ଏହାକୁ ନେଇ ସତର୍କତା ମଧ୍ୟ ସେତିକି ଜରୁରୀ। ନିଜ ମୋବାଇଲ୍କୁ ଆସିଥିବା OTP କାହା ସହିତ ସେୟାର କରିବା ଉଚିତ୍ ନୁହେଁ। କାରଣ ଏକ ଛୋଟ ଭୁଲ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବଡ଼ ବିପଦରେ ପକାଇପାରେ।


