କାଠମାଣ୍ଡୁ: ଗତ ଅଗଷ୍ଟ ମାସରେ ନେପାଳର ତ୍ରିଶୂଳୀ-ଭୋଟେ କୋଶୀ ନଦୀ ଅବବାହିକାରେ ଘଟିଥିବା ଭୟାବହ ଆକସ୍ମିକ ବନ୍ୟାରେ ନିଖୋଜ ହୋଇଥିବା ୨୧୩ ଜଣ ଭାରତୀୟ ନାଗରିକଙ୍କୁ ମୃତ ବୋଲି ଘୋଷଣା କରିବା ଦିଗରେ ନେପାଳ ସରକାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବଡ଼ ଓ ସମ୍ବେଦନଶୀଳ ପଦକ୍ଷେପ ସମ୍ପର୍କରେ ନେପାଳ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ନିଜ ୱେବସାଇଟରେ ନିଖୋଜ ଭାରତୀୟ ନାଗରିକମାନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଥିବା ବିବରଣୀକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ କିମ୍ବା ନାମ ଯୋଡ଼ିବା, କାଢ଼ିବା ଅଥବା ସଂଶୋଧନ କରିବା ପାଇଁ କୌଣସି ପରାମର୍ଶ ଦେବାର ଥିଲେ, ତାହା ଦାଖଲ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି। ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ ଯେଉଁ ନିଖୋଜ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କୌଣସି ଖବର ପାଇନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ନିଜର ଆପତ୍ତି କିମ୍ବା ପ୍ରସ୍ତାବିତ ସଂଶୋଧନ ଦାଖଲ କରିପାରିବେ। ଏହି ପ୍ରକ୍ରିୟାରେ ପରିବାରବର୍ଗ ଦୂତାବାସର ଇମେଲ୍ ଠିକଣା [email protected] କିମ୍ବା ହେଲ୍ପଲାଇନ୍ ନମ୍ବର +9779851316807 ମାଧ୍ୟମରେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।
ପରାମର୍ଶ ଓ ଆପତ୍ତି ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ନେପାଳ ସରକାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ ଏବଂ ନିଖୋଜ ବ୍ୟକ୍ତିମାନଙ୍କ ମୃତ୍ୟୁ ଘୋଷଣାକୁ ଆନୁଷ୍ଠାନିକ ଭାବେ ଜାରି କରିବେ। ଏହା ପରେ ଭାରତୀୟ ଦୂତାବାସ ପକ୍ଷରୁ ନେପାଳର ସ୍ଥାନୀୟ ପ୍ରଶାସନ ନିକଟରୁ ସମ୍ପୃକ୍ତ ମୃତ ବ୍ୟକ୍ତିମାନଙ୍କ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏହି ସମୟରେ ନିଖୋଜ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟଙ୍କୁ ଅତିରିକ୍ତ ସୂଚନା ଏବଂ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପାଇଁ ଅନୁରୋଧ କରାଯାଇପାରେ। ଆଗାମୀ ଦିନଗୁଡ଼ିକରେ ଏ ସମ୍ପର୍କିତ ଅଧିକ ସୂଚନା ଓ ଅଦ୍ୟତନ ନିୟମିତ ଭାବେ ପ୍ରଦାନ କରାଯିବ ବୋଲି ଦୂତାବାସ ପକ୍ଷରୁ ଜଣାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୬ ତାରିଖରେ ନେପାଳରେ ସଂଗଠିତ ଏହି ଭୟଙ୍କର ଆକସ୍ମିକ ବନ୍ୟାରେ ଅତିକମରେ ୧,୪୫୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୦୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। ହିମାଳୟ ସୀମାନ୍ତ ଅଞ୍ଚଳରୁ ଉତ୍ପନ୍ନ ହୋଇ ଦକ୍ଷିଣ ଦିଗକୁ ପ୍ରବାହିତ ହେଉଥିବା ଭୋଟେ କୋଶୀ ନଦୀ ତଳମୁଣ୍ଡକୁ ପ୍ରବଳ ବନ୍ୟାଜଳ ବୋହି ନେଇଥିଲା। ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ବ୍ୟାପକ ଅଞ୍ଚଳରେ ବହୁ ଘରବାଡ଼ି, ଗାଡ଼ିମୋଟର, ରାସ୍ତାଘାଟ ଏବଂ ପୋଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିସହ ବିପର୍ଯ୍ୟୟ ପ୍ରଭାବରେ ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।


