ୱାଶିଂଟନ: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ଲେଖାଏଁ ସ୍ପେସଏକ୍ସ (SpaceX) ସେୟାର ପ୍ରଦାନ କରାଯିବ ବୋଲି କମ୍ପାନୀର ସିଇଓ ଏଲନ୍ ମସ୍କ ଘୋଷଣା କରିଛନ୍ତି। ପିଲାମାନଙ୍କୁ କମ୍ପାନୀରେ ଅଂଶୀଦାର କରିବା ଏବଂ ସେମାନଙ୍କର ଦୀର୍ଘକାଳୀନ ଆର୍ଥିକ ସଞ୍ଚୟ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ମସ୍କ କହିଛନ୍ତି ଯେ, ପ୍ରତ୍ୟେକ ଆମେରିକୀୟ ଶିଶୁଙ୍କୁ ମୋଟ ଦୁଇଟି ସେୟାର ମିଳିବ—ଗୋଟିଏ ସ୍ପେସଏକ୍ସ କମ୍ପାନୀ ପକ୍ଷରୁ ଏବଂ ଅନ୍ୟଟି ମସ୍କ ନିଜସ୍ୱ ଭାବେ ଦାନ କରିବେ। ପୂର୍ବରୁ ସ୍ପେସଏକ୍ସ ଘୋଷଣା କରିଥିଲା ଯେ ବର୍ତ୍ତମାନ ସକ୍ରିୟ ଥିବା ପ୍ରତ୍ୟେକ ‘ଟ୍ରମ୍ପ ଆକାଉଣ୍ଟ’ କୁ କମ୍ପାନୀ ପକ୍ଷରୁ ଗୋଟିଏ ନୂତନ ‘କ୍ଲାସ୍ ଏ’ ସେୟାର ପ୍ରଦାନ କରାଯିବ। ଏହା ପରେ ମସ୍କ ବ୍ୟକ୍ତିଗତ ଭାବେ ଆଉ ଗୋଟିଏ ସେୟାର ଦେବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଆକାଉଣ୍ଟ ହେଉଛି ଆମେରିକୀୟ ଶିଶୁମାନଙ୍କର ଦୀର୍ଘକାଳୀନ ସଞ୍ଚୟ ଏବଂ ନିବେଶ ପାଇଁ ଉଦ୍ଦିଷ୍ଟ ଏକ ଟିକସ-ମୁକ୍ତନିବେଶ ଖାତା।
ବୁଧବାର ଦିନ ନାସଡାକ୍ ଷ୍ଟକ୍ ବଜାରରେ ସ୍ପେସଏକ୍ସର ଗୋଟିଏ ସେୟାରର ମୂଲ୍ୟ ୧୨୭ ଡଲାରରେ ବନ୍ଦ ହୋଇଛି। ଏହି ହିସାବରେ ପ୍ରାୟ ୭ କୋଟି ସକ୍ରିୟ ଆକାଉଣ୍ଟକୁ ମିଶାଇଲେ ଏହି ଦାନର ମୋଟ ମୂଲ୍ୟ ପ୍ରାୟ ୧୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ମସ୍କଙ୍କ ସୂଚନା ଅନୁଯାୟୀ, ସ୍ପେସଏକ୍ସ ପକ୍ଷରୁ ଦିଆଯିବାକୁ ଥିବା ସେୟାର ଆସନ୍ତା ମାସରେ ହସ୍ତାନ୍ତର କରାଯିବ, ଏବଂ ତାଙ୍କ ନିଜସ୍ୱ ସେୟାରଗୁଡ଼ିକ ଆସନ୍ତା ବର୍ଷ ଜୁନ୍ ମାସରେ ଲକ୍-ଅପ୍ ଅବଧି ଶେଷ ହେବା ପରେ ପ୍ରଦାନ କରାଯିବ। ସ୍ପେସଏକ୍ସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ପିଢ଼ିକୁ ଭବିଷ୍ୟତର ଭିତ୍ତିଭୂମି ବିକାଶ ଏବଂ ମହାକାଶ ଅଭିଯାନରେ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଗତ ମାସରେ ମଧ୍ୟ ମସ୍କ ଏଭଳି ଏକ ଯୋଜନାର ସଙ୍କେତ ଦେଇ କହିଥିଲେ ଯେ, ଭବିଷ୍ୟତ ଅର୍ଥନୀତିର ଅଂଶୀଦାର ସିଧାସଳଖ ଲୋକଙ୍କୁ ଦେବା ହିଁ ସବୁଠାରୁ ଉତ୍ତମ ପନ୍ଥା।


