ଭୁବନେଶ୍ଵର : ଚାକିରିରୁ ବହିଷ୍କାର କରିଦେଲେ ସବୁ ଅଧିକାର ଶେଷ ହୋଇଯାଏ ନାହିଁ। ଯଦି କୌଣସି କର୍ମଚାରୀଙ୍କୁ ବେଆଇନ ଭାବେ ଚାକିରିରୁ ବିଦା କରାଯାଇଥାଏ, ତେବେ ତାଙ୍କୁ ବକେୟା ଦରମା ଦେବାକୁ ନିଯୁକ୍ତିଦାତା ବାଧ୍ୟ। ଏପରି କ୍ଷେତ୍ରରେ ‘କାମ ନାହିଁ ତ ଦରମା ନାହିଁ’ ନୀତି ଲାଗୁ ହୋଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ। ଏହି ରାୟ କେବଳ ଜଣେ କର୍ମଚାରୀଙ୍କ ପାଇଁ ନ୍ୟାୟର ବାଟ ଖୋଲିନାହିଁ, ବରଂ ବେଆଇନ ବହିଷ୍କାର ଓ ବକେୟା ଦରମା ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବାର୍ତ୍ତା ଦେଇଛି।
ହାଇକୋର୍ଟଙ୍କ କହିବା ଅନୁଯାୟୀ, କର୍ମଚାରୀଙ୍କ ନିଜର କୌଣସି ଦୋଷ ନଥାଇ ଯଦି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ବହିଷ୍କାର ଆଦେଶ ବେଆଇନ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କୁ ବକେୟା ଦରମାରୁ ବଞ୍ଚିତ କରାଯାଇପାରିବ ନାହିଁ। କାମ କରିନଥିବା ଆଧାରରେ ଦରମା ନଦେବା ଯୁକ୍ତି ଏଭଳି ମାମଲାରେ ଗ୍ରହଣୀୟ ନୁହେଁ। ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ୨୦୨୫ ମେ ୨୩ ତାରିଖରେ ଆବେଦନକାରୀଙ୍କ ବକେୟା ଦରମା ପ୍ରଦାନକୁ ମନା କରି ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ମାମଲାଟି ଅଜୟ କୁମାର ବେହେରାଙ୍କ ସହ ଜଡ଼ିତ। ୨୦୦୭ ଜୁଲାଇ ୧୨ ତାରିଖରେ ସେ କୁସୁମୀ ରାଉତପଡ଼ା ୟୁଜିଏମଇ ସ୍କୁଲରେ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିଲେ। ସ୍କୁଲରେ ତାଙ୍କ ଶିକ୍ଷାଦାନ ଓ ଉପସ୍ଥାନ ସମ୍ପର୍କିତ ତଥ୍ୟକୁ ଠିକ୍ ଭାବେ ରେକର୍ଡ କରାନଯାଇ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା।
ନିୟମ ଅନୁଯାୟୀ, ୨୦୧୩ ଜୁଲାଇ ୧୩ରେ ତାଙ୍କ ଚାକିରି ନିୟମିତ ହେବା କଥା। କିନ୍ତୁ ତାହା କରାନଯାଇ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ବହିଷ୍କାର ଆଦେଶକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଜୟ କୁମାର ବେହେରାଙ୍କ ବହିଷ୍କାର ଆଦେଶ ବେଆଇନ ବୋଲି ମତ ଦେଇ ହାଇକୋର୍ଟ ୨୦୨୩ ଅକ୍ଟୋବର ୧୮ ତାରିଖରେ ତାଙ୍କୁ ପୁନଃନିଯୁକ୍ତି ପ୍ରଦାନ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ନିଜର ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବା ପାଇଁ ଡିଇଓଙ୍କ ନିକଟରେ ଆବେଦନ କରିଥିଲେ।
କିନ୍ତୁ ଡିଇଓ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ନିଜର କୌଣସି ଦୋଷ ନଥାଇ ବହିଷ୍କୃତ ହୋଇଥିବାରୁ ନିଯୁକ୍ତି ତାରିଖଠାରୁ ବକେୟା ଦରମା ପାଇବାକୁ ସେ ହକଦାର ବୋଲି ଯୁକ୍ତି ଦର୍ଶାଇ ପୁଣିଥରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।
ଆବେଦନର ଶୁଣାଣି କରି ଜଷ୍ଟିସ ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଆବେଦନକାରୀଙ୍କୁ ଶିକ୍ଷା ସହାୟକ ଭାବେ ଗ୍ରହଣ କରି ୨୦୧୩ ଜୁଲାଇ ୧୧ ତାରିଖରୁ ତାଙ୍କ ଚାକିରି ନିୟମିତ କରିବା ପାଇଁ ଡିଇଓଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚାକିରି ନିୟମିତ ହେବା ପରେ ଆବେଦନକାରୀଙ୍କୁ ସମ୍ପୂର୍ଣ୍ଣ ବକେୟା ଦରମା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। ଏଥିପାଇଁ ୮ ସପ୍ତାହର ସମୟସୀମା ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ। ଏହି ରାୟରୁ ସ୍ପଷ୍ଟ ଯେ, ନିଯୁକ୍ତିଦାତାଙ୍କ ବେଆଇନ ନିଷ୍ପତ୍ତି ଯୋଗୁଁ ଜଣେ କର୍ମଚାରୀ ଚାକିରିରୁ ଦୂରେଇ ରହିଥିଲେ, ତେବେ ତାହାର ପରିଣାମ ତାଙ୍କୁ ଦରମା ହରାଇ ଭୋଗିବାକୁ ପଡ଼ିବ ନାହିଁ।


