Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୟାନବେ ବର୍ଷର ତରୁଣ କବି ଜୟନ୍ତ ମହାପାତ୍ର, ଓଡିଶା ଓ ଓଡିଆଙ୍କ ଲାଗି ସେ ଜାଗ୍ରତ ବିବେକର ପ୍ରତୀକ
ବିଶେଷ ଖବର

ବୟାନବେ ବର୍ଷର ତରୁଣ କବି ଜୟନ୍ତ ମହାପାତ୍ର, ଓଡିଶା ଓ ଓଡିଆଙ୍କ ଲାଗି ସେ ଜାଗ୍ରତ ବିବେକର ପ୍ରତୀକ

October 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କବି ଜୟନ୍ତ ମହାପାତ୍ରଙ୍କୁ ଆଜି ୯୧ ପୂରି ୯୨ ଚାଲିଲା। ଏଇ ବୟସରେ ତାଙ୍କୁ ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସିବ; ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ଆଜି ବି ତାଙ୍କ ବୟସ ତାଙ୍କୁ ଛୁଇଁ ପାରିନାହିଁ। ଆଜି ବି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟ ପତ୍ରିକା “ପ୍ୟାରିସ ରିଭ୍ୟୁ” ରେ ତାଙ୍କର କବିତା ବାହାରିବାକୁ ଯାଉଛି ଓ ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା। ସତେକି ସେଇ ପରିପକ୍ଵ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ ଏଜକିଲଙ୍କ ପରେ ଭାରତୀୟ ଇଂରାଜୀ କବିତାର ସବୁଠୁ ସଫଳ ସ୍ଵର। ତେବେ କେବଳ ସେ ଯେ ପ୍ରସିଦ୍ଧ ଇଂରାଜୀ କବି ତା ନୁହେଁ, ସେ ଓଡିଆ କବିତାରେ ମଧ୍ୟ ଅନ୍ୟତମ ଉଜ୍ଜଳ ସ୍ଵର।

ତେବେ ଜୟନ୍ତ ମହାପାତ୍ରଙ୍କ ପରିଚୟ କଣ, ସେ କେବଳ କବି? ଜୟନ୍ତ ମହାପାତ୍ରଙ୍କୁ ଏଯାଏ ଓଡିଆ ଜାତି ଚିହ୍ନି ପାରିନି। ୧୯୮୧ରେ ତାଙ୍କୁ ଯେତେବେଳେ ପ୍ରଥମ ଇଂରାଜୀ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଗଲା, ସେତେବେଳେ ଓଡିଆ ଗଳ୍ପର ଅନ୍ୟତମ ମହାନାୟକ ସ୍ଵର୍ଗତ ଅଖିଳ ମୋହନ ପଟ୍ଟନାୟକ ଏକ ଲେଖା ଲେଖିଥିଲେ, ଯାହାର ଶୀର୍ଷକ ଥିଲା- “ଶ୍ରୀ ଜୟନ୍ତ ମହାପାତ୍ର; ଏକ ପ୍ରାୟ ଅନାବିଷ୍କୃତ ପ୍ରତିଭା’।ଅତ୍ୟନ୍ତ ପ୍ରଭାବଶାଳୀ ସ୍ଵରରେ ଓଡିଆଙ୍କର ପ୍ରତିଭା ଚିହ୍ନଟ କରି ନପାରିବାର ଅବଗୁଣ ସମ୍ପର୍କରେ ପ୍ରହାର କରି ଅଖିଳ ମୋହନ ଲେଖିଥିଲେ- ‘ ଜଣେ ଓଡିଆ କବି ଯିଏ କି ୧୯୬୫-୬୬ ମସିହାରୁ ନିରବଛିନ୍ନ କବିତା ଲେଖି ନିଜକୁ ବିଦେଶରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରି ସାରିଲେଣି, ତାଙ୍କ ସମ୍ପର୍କରେ ଓଡିଆ ପାଠକଙ୍କୁ ବାଦ ଦିଆଯାଉ, ଓଡିଆ ଲେଖକମାନଙ୍କୁ ମଧ୍ୟ କୌଣସି ସମ୍ବାଦ ବିଦିତ ନୁହେଁ। ତାଙ୍କର ପୁସ୍ତକ “ରିଲେଶନଶିପ” ୧୯୮୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରଷ୍କାର ପାଇବା ପରେ କେହି କେହି ଲେଖକ ନିଜସ୍ଵ ଲେଖାର ଏଣ୍ଡିପୋକ ଖୋସା ଭିତରୁ ମୁଣ୍ଡ କାଢି କହି ପାରନ୍ତି, “କାହିଁକି, ଆମେ ତ ଜାଣୁ, ଜୟନ୍ତ ବାବୁ କଣ ସବୁ ଇଂରାଜୀରେ ଲେଖାଲେଖି କରନ୍ତି’, କିନ୍ତୁ ଜୟନ୍ତ ବାବୁଙ୍କ କବିତାର ଆଲୋଚନା ବା ଅନୁବାଦ ଆଜିଯାଏ ଅନ୍ତତଃ ମୁଁ କୌଣସି ଓଡିଆ ପତ୍ରିକାରେ ଦେଖିବାକୁ ପାଇନାହିଁ।” (ସମାବେଶ- ପ୍ରଥମ ସଂଖ୍ୟା-୧୯୮୨)

୩୮ ବର୍ଷ ତଳେ ଅଖିଳ ମୋହନ ପଟ୍ଟନାୟକ କବି ଜୟନ୍ତଙ୍କ ସମ୍ପର୍କରେ ଯାହା କହିଥିଲେ, ତାକୁ ଆଜି ବି ସେମିତି କହିଦେଲେ କିଛି ଅସୁବିଧା ହେବନାହିଁ। ଯଦିଓ ୟା ଭିତରେ ପ୍ରଚୁର ଓଡିଆ କବିତା (ବଳି, ବାୟାରଜା, କହିବି ଗୋଟିଏ କଥା ଇତ୍ୟାଦି)  ଓ ନିଜ ଆତ୍ମ ଜୀବନୀକୁ ସେ ଓଡିଆରେ ଲେଖିଛନ୍ତି। (ଭୋର ମୋତିର କାନ ଫୁଲ ) ତାଙ୍କ କବିତାର କାନଭାସ ଆଜି ମଧ୍ୟ ମୌଳିକ ଭାବରେ ଓଡିଆ। ସେ ଇଂରାଜୀରେ ଲେଖନ୍ତୁ ବା ଓଡିଆରେ, ସେ ଓଡିଶାର ମଣିଷ ଓ ଜୀବନ କଥା ଲେଖନ୍ତି। ଭୋକ ଓ ପୀଡାର ଗୋଟେ ଅପୂର୍ବ ସୌନ୍ଦର୍ୟବୋଧ ତାଙ୍କ କବିତାରେ ତିଆରି ହୋଇଛି। ସେ ମଣିଷର ପୀଡା ସହିତ ନିଜକୁ ଏକାକାର କରିବା ସହିତ ଏକଲା ମଣିଷ ପାଇଁ କବିତାରେ ଏକ ନୂଆ ଭାଷାର ନିର୍ମାଣ କରି ପାରନ୍ତି।

ଆଜି ତାଙ୍କୁ ଚିହ୍ନିବା ଓ ଚିହ୍ନେଇବାର ଆବଶ୍ୟକତା ସବୁଠୁ ବେଶୀ। କାରଣ ଅନେକ ସମୟରେ ଆମେ ଆମର ପାଖ ଲୋକଟିକୁ ଚିହ୍ନି ନଥାଉ। ଓଡିଶା ଯଦି କେବେ ପୃଥିବୀରେ ନିଜର ପରିଚୟ ଖୋଜିବ, ତେବେ ତାକୁ ଜୟନ୍ତ ମହାପାତ୍ରଙ୍କ କବିତା ପାଖକୁ ଫେରିବାକୁ ପଡିବ। ଖାଲି କବିତା ନୁହଁ, ଓଡିଶାର ଜୀବନବୋଧ, ପର୍ୟଟନ ଓ କଳାର ଇତିହାସ ମଧ୍ୟ ସେ ଲେଖିଛନ୍ତି। ଶହ ଶହ ଓଡିଆ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି। ବାସ୍ତବର ତାଙ୍କ ଅବଦାନର ଭୂମି ଏତେ ବିଶାଳ ଯେ, ତାକୁ ଆକଳନ କରିବା ସହଜ ନୁହେଁ।

ତେବେ ତାଙ୍କର ସବୁଠୁ ବଡ ପରିଚୟ ହେଉଛି, ସେ ଓଡିଆ କବିତାର ସବୁଠୁ ବିନମ୍ର ବିପ୍ଳବୀ। ସେ କୌଣସି ଶୋଭାଯାତ୍ରା ବା ପତାକାର କଥା ଯଦିଓ କହି ନାହାନ୍ତି, ଓଡିଆ ଜନ ଜୀବନରେ ଯେତେବେଳେ ବି ସାଧାରଣ ମଣିଷ ଉପରେ ଆକ୍ରମଣ ହୋଇଛି, ତାରି ବିରୋଧରେ ସେ ନିଜର କଲମ ଧରି ଠିଆ ହୋଇଛନ୍ତି। ଦେଶରେ ବଢି ଚାଲିଥିବା ଅସହିଷ୍ଣୁତା ବିରୋଧରେ ସେ ଓଡିଶାର ଏକମାତ୍ର ଲେଖକ ଭାବରେ ନିଜର ପଦ୍ମ ପୁରସ୍କାର ଫେରାଇ ଦେଇଥିଲେ। ସେ କଳିଙ୍ଗ ନଗରର ଆଦିବାସୀ ଗୁଳିକାଣ୍ଡ ହେଉ ବା ଲୋକଙ୍କ ଉପରେ ପୋଲିସ ଦମନ, ଯେତେବେଳେ ବି କେଉଁଠି ମଣିଷ ଉପରେ କ୍ଷମତାର ଅହଂକାର ପ୍ରବଳ ହୋଇଛି, ସେଠି ଜୟନ୍ତ ମହାପାତ୍ର ବିନମ୍ର ପ୍ରତିବାଦ କରି ଅବିଚଳିତ ଭାବରେ ଠିଆ ହୋଇଛନ୍ତି।

ଇଂରାଜୀ ଓ ଓଡିଆ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କୁ କୋଟି କୋଟି ଶୁଭେଚ୍ଛା।

Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026

ଚିଲିକାର ମା କାଳିଜାଈ ପୀଠ ହେବ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 2, 2026

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.