ସମୀକ୍ଷା ବ୍ୟୁରୋ
ଭୁବେନଶ୍ବର:- ମନ୍ତ୍ରୀମାନେ ସ୍କୁଲପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରନ୍ତୁ। ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସବୁବେଳେ ନୁହେଁ, ମନ୍ତ୍ରୀମାନେ ଅଚାନକ ସ୍କୁଲଗୁଡିକ ପରିଦର୍ଶନରେ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କିପରି ଚାଲିଛି ତାହା ତଦାରଖ କରନ୍ତୁ। ଏହି ଗସ୍ତ ସଂପର୍କରେ ମନ୍ତ୍ରୀମାନେ ପୁରା ଗୁପ୍ତ ରଖିବେ ବୋଲି କୁହାଯାଇଛି। ଏପରିକି ମନ୍ତ୍ରୀମାନେ ସାଥୀରେ ମାତ୍ର 3 ଜଣ ଅଧିକାରୀଙ୍କୁ ନେଇପାରିବେ। ତାହାଠାରୁ ଅଧିକ ଲୋକ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆଯାଉ ନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ଦେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀମାନଙ୍କ ଏହି ଗସ୍ତ ଦ୍ବାରା ସେଥିରେ ସୁଧାର ଆସିବ ବୋଲି ଆଶା ରଖାଯାଇଛି। ତେବେ କେବଳ ସ୍କୁଲ, ଅନାଥ ଆଶ୍ରମ ବା ସରକାରୀ ସଂସ୍ଥା ନୁହେଁ ଆହାର କେନ୍ଦ୍ର ମଧ୍ୟ ଯାଇ ଖାଦ୍ୟ ଯାଞ୍ଚ କରିବାକୁ କୁହାଯାଇଛି।
ତେବେ ମନ୍ତ୍ରୀମାନେ କେବଳ ଖାଦ୍ୟ ଯାଞ୍ଚ କରିବା ପାଇଁ କୌଣସି ଜିଲ୍ଲାକୁ ଗସ୍ତ କରିବେ ନାହିଁ। ସେମାନେ ଯେତେବେଳେ କୌଣସି ଜିଲ୍ଲାକୁ ସରକାରୀ ଗସ୍ତରେ ଯାଉଛନ୍ତି ସେତେବେଳେ ସେମାନେ ବାହାରେ ନ ଖାଇ ଏହି ସଂସ୍ଥା ଓ ଆହାର କେନ୍ଦ୍ରରେ ଭୋଜନ କରନ୍ତୁ ବୋଲି କୁହାଯାଇଛି। ଏହାଦ୍ବାରା ସରକାରୀ ଖର୍ଚ୍ଚ ବଞ୍ଚିବ ତାହା ବଡ କଥା ନୁହେଁ, ବଡ କଥା ହେଲା ସେଠାକାର ଖାଦ୍ୟର ମାନ ଠିକ ରହିବ। ଏ ସଂପର୍କରେ ମନ୍ତ୍ରୀମାନେ ତାଙ୍କ ରିପୋର୍ଟ କାର୍ଡରେ କେତେ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ରରେ ଖାଇଛନ୍ତି ତାହା ସାମିଲ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି।