ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ : ଏପର୍ଯ୍ୟନ୍ତ ୪୪ ଜଣ ବରଖାସ୍ତ

Published: Nov 4, 2019, 4:16 pm IST

ସମୀକ୍ଷା ବ୍ୟୁରୋ

ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି କ୍ଷେତ୍ରରେ ନବୀନ ସରକାର ଶୂନ୍ୟ ସହିଷ୍ଣୁତା (ଜିରୋ ଟଲେରେନ୍ସ) ନୀତି ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଜି ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ୫ଜଣଙ୍କ ପେନସେନ୍‌ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କ ପେନସନ୍‌ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସ୍ଥାୟୀ ଭାବରେ ପେନସନ୍‌ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଅବସରପ୍ରାପ୍ତ ଓ.ଏ.ଏସ୍‌ ଅଫିସର। ସେମାନେ ହେଲେ ନବୀନ ସେଠ, ଅବସରପ୍ରାପ୍ତ ଓ.ଏ.ଏସ୍‌ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ଼ ମ୍ୟୁନିସିପାଲିଟି,  ଖଣ୍ଡପଡ଼ା ବ୍ଲକ ନୟାଗଡ଼ର ପୂର୍ବତନ ବିଡିଓ ସନାତନ ସେଠୀ, ପୂର୍ବତନ କୋରାପୁଟ୍‌ ଆରଟିଓ ପୁରନ୍ଦର ପୂଜାରୀ, ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ  ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା, ମୟୂରଭଞ୍ଜ  ପୂର୍ବତନ ଜୁନିଅର ଇଞ୍ଜିନିୟର ପିତାମ୍ବର ପ୍ରତିହାରୀପ୍ରମୁଖ।  ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ, ଧାନକୁଡା ବ୍ଲକ୍‌ର ପଞ୍ଚାୟତି ରାଜ ବିଭାଗର ଜୁନିଅର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି, ପାପଡାହାଣ୍ଡି ବ୍ଲକ୍‌ର ପ୍ରାେଗ୍ରେସ୍‌ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର, ଜଙ୍ଗଲ ବିଭଗ ଓ୍ବାର୍କିଂ ପ୍ଲାନ୍‌ ଅଫିସର ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ ବ୍ରହ୍ମପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା, ହାଟିଡିହି ବ୍ଲକ୍‌ର ଜଳସମ୍ପଦ ବିାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ ପ୍ରମୁଖ। ଏହି ସମସ୍ତ ଅଧିକାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related posts