ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ, ୧/୧୨: ପିଆଜ ଅଭାବ ଯୋଗୁଁ ଏହାର ଦର ଆକାଶଛୁଆଁ ପାଲଟିଛି । ରାଜ୍ୟରେ ପିଆଜ କିଲୋ ପିଛା ୧୦୦ ଟଙ୍କାରେ ମିଳୁଛି । ଦେଶରେ ପିଆଜ ଅଭାବ ତଥା ବର୍ଦ୍ଧିତ ଦରର ମୁକାବିଲା କରିବା ପାଇଁ ଏବେ ଉପଭୋକ୍ତା ମନ୍ତ୍ରାଳୟ ସରକାରୀ କମ୍ପାନୀ ଏମଏମଟିସିକୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ ପାଇଁ ନିର୍ଦ୍ଦେଶ ଦେଇଛି । ତୁର୍କୀରୁ ୧୧ ହଜାର ଟନ୍ ପିଆଜ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଭାରତରେ ପିଆଜ ଚାହିଦା ଦୂର କରିବା ପାଇଁ ଇଜିପ୍ଟରୁ ୬,୦୯୦ ଟନ୍ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା। ଗତ ମାସରେ କେନ୍ଦ୍ର କ୍ୟାବିନେଟ ଦେଶରେ ବଢ଼ୁଥିବା ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଘରୋଇ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ୧.୨ ଲକ୍ଷ ଟନ୍ ପିଆଜ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ପରେ ଏମଏମଟିସି ବିଭିନ୍ନ ରାଷ୍ଟ୍ରରୁ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏମଏମଟିସି ୧୧ ହଜାର ଟନ୍ ପିଆଜ ଆମଦାନୀ ପାଇଁ ତୁର୍କୀ ସହ କଥା ହୋଇ ସାରିଛି। ୨୦୨୦ ଜାନୁଆରୀ ମାସରେ ଏହି ପିଆଜ ଭାରତରେ ପହଞ୍ଚିବ। ଏହାପରେ ପିଆଜ ଦାମରେ କିଛି ପରିବର୍ତ୍ତନ ହେବା ନେଇ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ ପିଆଜ ଉତ୍ପାଦନ କରୁଥିବା ରାଜ୍ୟ ମହାରାଷ୍ଟ୍ର ଓ ରାଜସ୍ଥାନରେ ବନ୍ୟା କାରଣରୁ ପିଆଜ ଚାଷରେ ବହୁତ କ୍ଷତି ହେବା ସହିତ ଉତ୍ପାଦନରେ ୨୬ ଲକ୍ଷ ଟନ୍ କମ୍ ହୋଇଛି । ଯାହା ଫଳରେ ପିଆଜ ଅଭାବ ସୃଷ୍ଟି ହୋଇଛି । (ଏଜେନ୍ସି)