ରଙ୍ଗାଚରଣ ପ୍ରଧାନ
ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି।
ଦୌଡିବା ଶରୀର ପାଇଁ ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ ? ଏବେ ତ ସରକାରଙ୍କର ବିକାଶ ଦର ବି ଦୌଡିବାକୁ ମନା କରି ଦେଲାଣି।
ଏଥର ଆପଣ ପୁଣି ଥରେ ଦୌଡିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏଥର ଦୌଡିବେ ଏନ୍.ଆର୍.ସିରେ ନାଁ ପଞ୍ଜିକରଣ ପାଇଁ। ନଚେତ୍ ଆପଣ ଆଉ ଦେଶର ନାଗରିକ ହୋଇ ରହିବେ ନାହିଁ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନୂଆ ‘ନାଗରିକ ସଂଶୋଧନ ବିଲ୍’ ଗ୍ରହଣ କରିଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହା ହୁଏତ ପାଶ୍ ହୋଇଯିବ। କେଉଁ କେଉଁ ସର୍ତ୍ତ ପୂରଣ ନ କଲେ କିମ୍ବା କେଉଁ ଦସ୍ତାବିଜ୍ ନ ଦେଖାଇପାରିଲେ ଆପଣ ନାଗରିକତ୍ବ ହରାଇବେ ଓ ସେ ବିଷୟରେ ଏହି ବିଲ୍ ରେ କ’ଣ ଲେଖା ଅଛି ତାହା ଏ ପର୍ଯ୍ୟନ୍ତ ଗୁପ୍ତ ଅଛି। ତେବେ ଏତିକି ଜଣା ଅଛି ଯେ ସରକାର ଚାହୁଁଛନ୍ତି ଦେଶରେ ଅଶୁଦ୍ଧ ନାଗରିକଙ୍କ ସଂଖ୍ୟା କେତେ ତାହା ଜାଣି ସେମାନଙ୍କୁ ଦେଶ ବାହାରକୁ ପଠାଯିବ କିମ୍ବା ଅବରୁଦ୍ଧ ଶିବିରରେ ରଖାଯିବ ଓ ସେଠାରେ ସେମାନଙ୍କୁ ହୁଏତ ଦ୍ବିତୀୟ ଶ୍ରେଣୀର ନାଗରିକ ବୋଲି ଧରାଯିବ ଏବଂ ପୂର୍ଣ ନାଗରିକ ଉପଭୋଗ କରୁଥିବା ସମସ୍ତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବ। ତେବେ କାହାକୁ ଅଶୁଦ୍ଧ ନାଗରିକ କୁହାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୄହମନ୍ତ୍ରୀ ଅମିତ ଶାହ ବିଭିନ୍ନ ନିର୍ବାଚନୀ ସଭାରେ ସେ ବିଷୟରେ କହି ସେମାନଙ୍କର ଉଦ୍ଦେଶ୍ୟ ପରିଷ୍କାର କରି ସାରିଛନ୍ତି।
ସେମାନଙ୍କ ଭାଷଣ ଅନୁଯାୟୀ ଭାରତ ବାହାରୁ ଯେଉଁମାନେ ବେଆଇନ୍ ଭାବେ ଆସି ଦେଶରେ ରହିଛନ୍ତି କିମ୍ବା ଯେଉଁମାନେ ଭିସାର ଅବଧି ସରିଯାଇଥିଲେ ମଧ୍ୟ ନିଜ ଦେଶକୁ ଫେରିନାହାନ୍ତି ସେମାନଙ୍କୁ ମଧ୍ୟ ଏଣିକି ଭାରତର ନାଗରିକତା ପ୍ରଦାନ କରାଯିବ ବା ସେମାନେ ହେବେ ଶୁଦ୍ଧ ନାଗରିକ। କିନ୍ତୁ ଏଥିରେ ଯେଉଁ ଗୋଟିଏ ସର୍ତ୍ତ ଅଛି ତାହା ହେଉଛି ସେମାନେ ମୁସଲମାନ ହୋଇ ନଥିବେ। ଯଦି ମୁସଲମାନ ହୋଇଥିବେ ତେବେ ଅମିତ୍ ଶାହଙ୍କ ଭାଷାରେ ସେମାନେ ହେଉଛନ୍ତି ଘୁଷପେଠି। ଧର୍ମୀୟ ବାଛବିଚାର ଆଧାରରେ ଏପରି ଏକ ତ୍ରୁଟିପୁର୍ଣ ଓ ଅଭିସନ୍ଧିମୁଳକ ଆଇନ୍ ସମ୍ବିଧାନର ମୂଳ ଆଧାରର ପରିପନ୍ଥି ହେବ କି ନାହିଁ କିମ୍ବା ସୁପ୍ରିମ୍ କୋର୍ଟଙ୍କ ତନଖିରେ ତାହା ତିଷ୍ଠି ପାରିବ କି ନାହିଁ ତାହା ଏକ ବିରାଟ ସନ୍ଦେହ ସୄଷ୍ଟି କରୁଛି। କିନ୍ତୁ ବର୍ତ୍ତମାନର ସରକାର ଏପରି ଆବଶ୍ୟକତାକୁ କେବେ ଭୄକ୍ଷେପ କରିଛି ଯେ ଏବେ ଆମେ ତାହା ତାଙ୍କଠାରୁ ଆଶା କରିବା ?
ଏହି ପ୍ରକ୍ରୀୟାର ପରୀକ୍ଷଣ ଆସାମରେ ହୋଇସାରିଛି। ଅବଶ୍ୟ ଆସାମରେ ଏନ୍.ଆର୍.ସି ଲାଗୁହେବାର ଏକ ଐତିହାସିକ ପୄଷ୍ଟଭୂମି ରହିଛି। ସତୁରି ଦଶକର ଶେଷରେ ବେଆଇନ୍ ଭାବରେ ରହୁଥିବା ବଙ୍ଗଳାଦେଶୀଙ୍କୁ ବହିଷ୍କାର କରିବା ପାଇଁ ସେଠାରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତାହାରି ମୁତାବକ ୧୯୭୧ ମସିହା ପରଠାରୁ ଯେଉଁ ବିଦେଶୀ ନାଗରିକ ଭାରତରେ ପଶି ଆସିଛନ୍ତି ଚିହ୍ନଟ କରିସାରିବା ପରେ ସେମାନଙ୍କୁ ବାଦ୍ ଦେଇ ଏକ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ଏହି ଚୁକ୍ତିରେ ଧର୍ମୀୟ ବାଛବିଚାର କଥା ନଥିଲା। ଏହାକୁ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ ବା ଏନ୍.ଆର୍.ସି କୁହାଗଲା। ଏହି ପ୍ରକ୍ରୀୟା ଦୀର୍ଘ ୩୫ ବର୍ଷ ଚାଲିବା ପରେ ଚଳିତ ବର୍ଷ ଯେତେବେଳେ ଏମିତି ଏକ ରେଜିଷ୍ଟର ପ୍ରସ୍ତୁତ ହେଲା ସେତେବେଳେ ଦେଖାଗଲା ଆସାମରେ ରହୁଥିବା ୪୦ ଲକ୍ଷ ଲୋକ ନାଗରିକ ରେଜିଷ୍ଟରରୁ ବାଦ୍ ପଡିଛନ୍ତି। ମାତ୍ର ସେଥିରେ ଅନେକ ତ୍ରୁଟି ଥିବାର ମନେହେବାରୁ ରେଜିଷ୍ଟରରେ ସଂଶୋଧନ ହେଲା। ସଂଶୋଧନ ପରେ ଏହି ସଂଖ୍ୟା ହ୍ରାସ ପାଇ ୧୯ ଲକ୍ଷରେ ପହଞ୍ଚିଲା। ତଥାପି ଏହି ସଂଖ୍ୟାରେ କେନ୍ଦ୍ରର ବିଜେପି ସରକାର, ଆସାମର ବିଜେପି ରାଜ୍ୟ ସରକାର ଓ ଆନ୍ଦୋଳନକାରୀ ସନ୍ତୁଷ୍ଟ ହୋଇପାରି ନାହାନ୍ତି। ସେମାନଙ୍କର ଆଶଙ୍କା ଯେ ଏହି ୧୯ ଲକ୍ଷ ଲୋକଙ୍କ ମଧ୍ଯରେ ଅନେକ ହିନ୍ଦୁ ରହି ଯାଇଛନ୍ତି ଓ ଏଥିରେ ଯଥେଷ୍ଟ ସଂଖ୍ୟକ ମୁସଲମାନ ନାହାନ୍ତି। ନୂଆ ‘ନାଗରିକ ସଂଶୋଧନ ବିଲ୍’ ଭିତ୍ତିରେ ପୁଣି ଥରେ ଏହି ରେଜିଷ୍ଟରକୁ ସଂଶୋଧନ କରାଗଲେ ସେଥିରେ ଆଉ ମାତ୍ର ଦୁଇରୁ ତିନି ଲକ୍ଷ ଲୋକ ରହିବେ ବୋଲି ଅନୁମାନ କରାଯାଉଛି।
ଏଥିରୁ ପରିଷ୍କାର ହେଉଛି ଯେ ସରକାରଙ୍କର ଉଦ୍ଦେଶ୍ଯ ସବୁ ଅନୁପ୍ରବେଶକାରୀଙ୍କୁ ତଡିବା ନୂହେଁ, ବରଂ କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କୁ ତଡିବା। ବର୍ତମାନ କେନ୍ଦ୍ର ସରକାର ଏହି ଆଧାରରେ ପୁରା ଦେଶ ପାଇଁ ଜାତୀୟ ନାଗରିକତା ରେଜିଷ୍ଟର ଲାଗୁ କରିବା କଥା କହୁଛନ୍ତି। ଅବଶ୍ୟ ନିକଟରେ ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭୋଟ ଧୄବିକରଣର ଏହି କୌଶଳ କାମ ଦେଲାନାହିଁ ଓ ବିଜେପି ତିନୋଟି ଯାକ ଆସନରେ ହାରିଲା। ଅର୍ଥାତ ଜନତା ଏହି ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି।
ତଥାପି ବିଜେପି ସାରା ଦେଶରେ ଏନ୍.ଆର୍.ସି ଲାଗୁକରିବା ପାଇଁ ତାହାର ଜିଦ୍ ରେ ଅଟଳ ଅଛି। ବର୍ତ୍ତମାନ ଚାଲୁଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବିଜେପି ଏହାକୁ ଏକ ବଡ ପ୍ରସଙ୍ଗ କରୁଥିବାର ଦେଖାଯାଉଛି। ସେମାନେ କହିବା କଥା ହେଲା ଯେ ଭାରତରେ ବହୁ ସଂଖ୍ୟକ ବିଦେଶୀ ଘୁଷପେଠି ରହିଥିବାରୁ ଭାରତର ବିକାଶର ଲାଭରେ ସେମାନେ ଦିମକ୍ ବା ରକ୍ତଶୋଷଣକାରୀ କୀଟ ଭଳି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କେତେ ସେ ବିଷୟରେ ହେଉଥିବା ବିଭିନ୍ନ ଦାବୀର କୌଣସି ଆଧାର ସେମାନେ ଦେଇ ପାରୁ ନାହାନ୍ତି। ଗତ ଦୁଇବର୍ଷରେ ପାର୍ଲିଆମେଣ୍ଟରେ ୭ ଥର ଏହି ପ୍ରଶ୍ନ ଉଠିଥିଲେ ମଧ୍ୟ ସରକାର ଏହାର ଏକ ଆକଳନ ମଧ୍ୟ ଦେବାକୁ ସମର୍ଥ ହୋଇନାହାନ୍ତି। ନୋଟବନ୍ଦୀବେଳେ ଯେମିତି ଏକ ଧାରଣା ଦିଆଯାଇଥିଲା ଯେ ପ୍ରାୟ ୨/୩ ଲକ୍ଷ କୋଟିର କଳାଟଙ୍କା ଅର୍ଥନୀତିରୁ ବାହାର ହୋଇଯିବ, ବର୍ତମାନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବିଷୟରେ ମଧ୍ୟ ବିନା କୌଣସି ଆଧାରରେ ସେମିତି ଏକ ଧାରଣାର ପ୍ରୋପାଗଣ୍ଡା ଚାଲିଛି।
ପ୍ରାୟ ୩.୨ କୋଟି ଆସାମବାସୀଙ୍କ ଉପରେ ଏନ୍.ଆର୍.ସିର ପ୍ରୟୋଗ କାମରେ ୫୫ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଥିଲା ଏବଂ ଏଥିରେ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ ମାତ୍ର ୩୦୦୦ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବା ପାଇଁ ୨.୫ ହେକ୍ଟର ଜମି ଉପରେ ପ୍ରଥମ ଅବରୁଦ୍ଧ ଶିବିର ତିଆରିରେ ସରକାର ୪୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପୁରା ଆସାମରେ ଚିହ୍ନଟ ଅନୁପ୍ରବେଶକାରୀଙ୍କ ପାଇଁ ଶିବିର ତିଆରିରେ ପ୍ରାୟ ୨୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ ବର୍ତ୍ତମାନ ପ୍ରାୟ ୧୪୦୦ ଟି ଜେଲ୍ ଅଛି ଯେଉଁଠାରେ ପ୍ରାୟ ସାଢେ ୩ ଲକ୍ଷ ବନ୍ଦୀ ଅଛି। ପୁରା ଦେଶରେ ଏନ୍.ଆର୍.ସି ଲାଗୁକରିବା ଓ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବାରେ କେତେ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ତାହାର ଏବେ କଳନା କରିବା କଷ୍ଟକର। ଏହା ବାଦ୍ ବର୍ଷ ପରେ ବର୍ଷ ସେହି ଶିବିରଗୁଡିକର ପରିଚାଳନା, ସେଠାରେ ରହିବାକୁ ଥିବା ଚିହ୍ନଟମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା ଖର୍ଚ୍ଚ ବି ରହିଛି।
ବଙ୍ଗଳାଦେଶ ବାରମ୍ବାର ପରିଷ୍କାର ଭାବେ ଜଣାଇଦେଇଛି ଯେ ସେମାନେ ସେହି ଲୋକମାନଙ୍କୁ ନିଜ ଦେଶରେ ପୁରାଇବେ ନାହିଁ। ତା’ଛଡା ନିକଟରେ ବଙ୍ଗଳା ଦେଶର ଜଣେ ସରକାରୀ ଉଚ୍ଚ ଅଧିକାରୀ ଏହି ପ୍ରସ୍ତାବକୁ ହସରେ ଉଡାଇ କହିଛନ୍ତି ଯେ ବଙ୍ଗଳାଦେଶର ଅର୍ଥନୀତି ଭାରତଠାରୁ ବହୁ ଉନ୍ନତ ଥିବାରୁ ତାଙ୍କ ଦେଶ ଛାଡି କେହି ଭାରତକୁ ଆସିଥିବାର ସମ୍ବାବନା ନାହିଁ। ଏକଥା ବି ସତ ଯେ ବଙ୍ଗଳା ଦେଶର ଜିଡିପି ଦର ଏବଂ ଅନ୍ୟ ସମସ୍ତ ସାମାଜିକ ସୁଚକାଙ୍କ ଭାରତଠାରୁ ଆଗରେ ଅଛି।
କିନ୍ତୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ବା ଜିଡିପି ଦର ବିଷୟରେ ଭାରତର ବର୍ତମାନର ଶାସକଗୋଷ୍ଠି ଚିନ୍ତିତ ଅଛନ୍ତି ବୋଲି କିଏ କହୁଛି ? ଯଦି ସରକାରଙ୍କ ନିଜ ତଥ୍ୟ ବି ଏକ ବିକଟ ଅର୍ଥନୀତି ବା ମାନ୍ଦାବସ୍ଥା ବିଷୟରେ ସୁଚନା ଦେଉଛି ସରକାର ତାକୁ ପ୍ରଥମେ ଲୁଚାଉଛନ୍ତି ଓ ପରେ ଅସ୍ବୀକାର କରୁଛନ୍ତି। ସରକାରଙ୍କ ପାଇଁ ତଥ୍ୟ ଓ ସମ୍ବିଧାନର କିଛି ମୂଲ୍ୟ ନାହିଁ। ସେମାନଙ୍କର ଆଧାରହୀନ ଧାରଣା ଓ କରାଗତ ପ୍ରଚାରତନ୍ତ୍ର ହିଁ ସେମାନଙ୍କ ପାଇଁ ସବୁକିଛି। ଏହି ବିଭାଜନକାରୀ ଓ ସମାଜରେ ବିଦ୍ବେଷସୄଷ୍ଟିକାରୀ ଧାରଣା ଦ୍ବାରା ଭୋଟରଙ୍କ ଧୄବିକରଣ ହୋଇ ସେଥିରୁ ଯଦି ନିର୍ବାଚନୀ ଫାଇଦା ଗୋଟାଇ ହେଉଛି ଏବଂ ସେମାନଙ୍କ ବ୍ରାଣ୍ଡର ପରିକଳ୍ପିତ ହିନ୍ଦୁରାଷ୍ଟର ଗଠନ ହେଉଛି ତେବେ ସରକାର ସେଥିରେ ସନ୍ତୁଷ୍ଟ।
କିନ୍ତୁ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶକାରୀ ଯେ ଏହି ବ୍ୟାଘାତ ସୄଷ୍ଟିକାରୀ ବାତାବରଣରେ ପୁଞ୍ଜିନିବେଶ କରିବେ ଓ ଦେଶରେ ରୋଜଗାର ସୄଷ୍ଟି ହେବ ସେ ଆଶା ନାହିଁ। ଅତୀତର ଅଭିଜ୍ଞତା ଭଳି ଏହାକୁ ମଧ୍ୟ ଆଉ ଏକ ଦେଶଭକ୍ତି ଯଜ୍ଞର ନାମ ଦେଇ ଦିଆଯାଇପାରେ। ଏହି ପ୍ରକ୍ରୀୟା ଆରମ୍ଭରୁ ସମସ୍ତଙ୍କୁ କୁହାଯିବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ସେମାନେ ନାଗରିକ ବୋଲି ପ୍ରମାଣ କରିବା ପାଇଁ ସେମାନଙ୍କୁ ପ୍ରମାଣ ନଥି ଧରି ଏନ୍.ଆର୍.ସି କେନ୍ଦ୍ରକୁ ଦଉଡିବାକୁ ପଡିବ। ସେ ଆଦିବାସୀ ହେଉ କି ବିସ୍ଥାପିତ ହେଉ, ଶିକ୍ଷିତ ହେଉ କି ଗ୍ରାମାଞ୍ଚଳର ଅଶିକ୍ଷିତ ମୁଲିଆ ହେଉ ସମସ୍ତଙ୍କୁ ନଥି ପ୍ରମାଣ ଯୋଗାଡ କରି କେନ୍ଦ୍ର ଆଗରେ ଧାଡିରେ ଛିଡା ହେବାକୁ ପଡିବ। ସମସ୍ତେ ପୁଣି ଥରେ ଦୌଡିବେ।