ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 17/12: ମୋ’ ସରକାର କାର୍ଯ୍ୟକ୍ରମରେ ସାମିଲ୍ ହୋଇଛି ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ। ଏହି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର। ଆଜି ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭକରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଅଧୀନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଲତା ସହିତ ମାତୃ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଲତାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ ହେବା ସହିତ ମା’ମାନଙ୍କୁ ସଶକ୍ତିକାରଣ କାର୍ଯ୍ୟକ୍ରମର ଉଦାହରଣ ସୃଷ୍ଟି କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ଼ ସଫଳତା। ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ହେଉଛି ମୋ’ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।