ଜାନୁଆରୀ ୨୨, ସକଳ ୭ ଟାରେ ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶୀ

Published: Jan 7, 2020, 5:04 pm IST

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ ଟାରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯିବ। ଏଥିପାଇଁ ଦିଲ୍ଲୀର ଏକ ଅଦାଲତ ଅନ୍ତିମ ତାରିଖ ଓ ସମୟ ନିର୍ଦ୍ଧାରଣ କରିଛନ୍ତି। ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଗଣ ବଳାତ୍କାର ଓ ହତ୍ୟା କରା ଯାଇଥିଲା। ଏହାର ପ୍ରତିବାଦରେ ସେତେବେଳେ ସାରଦେଶ ଏକାଠି ହୋଇଥିଲା। ସାତ ବର୍ଷ ପରେ ଏହି ଅପରାଧ ସହ ସମ୍ପୃକ୍ତ  ଚାରି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଅନ୍ତିମ ନିଷ୍ପତ୍ତି ନିଆଯାଇଛି।  ନିର୍ଭୟା କାଣ୍ଡର ଚାରି ଅଭିଯୁକ୍ତ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ତିହାଡ଼ ଜେଲ୍‌ରେ ଫାଶୀ ଦିଆଯିବ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଗତ ଡିସେମ୍ବର ମାସରେ ପଟିଆଲା ହାଉସ କୋର୍ଟରେ ଡେଥ ୱାରେଣ୍ଟ ଶୁଣାଣି କରାଯାଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନଥିଲା। ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ 6ଜଣ ଦୋଷୀ ରହିଥିବାବେଳେ ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । (ଏଜେନ୍ସି)

Related posts