ଓଡ଼ିଶାରେ ହେବ ମହାମେଣ୍ଟ

Published: Feb 17, 2019, 3:03 pm IST

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ। ବିଜେଡି ଓ ବିଜେପି ବିରୋଧରେ ଏହି ମହାମେଣ୍ଟ ହେବ। ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଆଜି ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସିପିଆଇ, ସିପିଏମ୍‌, ଜେଏମ୍‌ଏମ୍‌ ଓ କଂଗ୍ରେସକୁ ନେଇ ଏହି ମହାମେଣ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ବିଜେପି ଓ ବିଜେଡିକୁ ଶାସନ ଗାଦିଠାରୁ ଦୂରେଇ ରଖିବା ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସମଭାବାପନ୍ନ ରାଜନୀତିକ ଦଳ ଓ ନେତାଙ୍କ ସହ ମିଶି ରଣାଙ୍ଗନକୁ ଓହ୍ଲାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଇଙ୍ଗିତ ଦେଇଥିଲେ। ଓଡ଼ିଶାରେ ଏଭଳି ମେଣ୍ଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ସେ କହିଥିଲେ। ତେବେ ଏ ସଂକ୍ରାନ୍ତୀୟ ଔପଚାରିକ ଘୋଷଣା ହୋଇନାହିଁ ।  ଓଡ଼ିଶାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ଦଳୀୟ କନ୍ଦଳ ତଥା ସାଙ୍ଗଠନିକ ବିପର୍ଯ୍ୟୟ ପାଇଁ ଓଡ଼ିଶାରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଛି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ଆକ୍ରମଣାତ୍ମକ ମୁଡ୍‌ରେ ରହିଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ନୂଆ ରଣନୀତି ସାହାଯ୍ୟରେ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଯୋଜନା ରଖିଛି ।

Related posts