ଆସନ୍ତା ୨୬ରେ ହେବ ଅଯୋଧ୍ୟା ଜମି ବିବାଦର ଶୁଣାଣି

Published: Feb 20, 2019, 6:36 pm IST

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଅନୁପସ୍ଥିତ ଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହେବ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଅବଦୁଲ ନଜିର ରହିଛନ୍ତି। ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ଶୁଣାଣୀ କରି ଏକ ରାୟ ଦେଇଥିଲେ। କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ।

Related posts