ବରଗଡ଼ର ଇଚ୍ଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାଳିଆା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୭୦୦ କୋଟି ଟଙ୍କାର ସହାୟତା ରାଶିକୁ ୧୪ ଲକ୍ଷରୁ ଅଧିକ ହିତାଧୀକାରଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜି ରାଜ୍ୟର କାଳିଆ ଯୋଜନାରେ ୧୪ ଲକ୍ଷରୁ ଅଧିକ ଚାଷୀ ସାମିଲ୍ ହେଲେ । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୨ ଲକ୍ଷରୁ ଅଧିକ ଚାଷୀ ଉପକାର ପାଉଥିବାବେଳେ କେନ୍ଦ୍ରାପଡ଼ାରେ ୩ ଲକ୍ଷ ୫୦ ହଜାର ଭୂମିହୀନ ଚାଷୀ ଉପକାର ପାଇଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀ ଆମର ଗୌରବ । ଚାଷୀର ତ୍ୟାଗ ଓ ପରିଶ୍ରମ ପାଇଁ ସମସ୍ତ ଦେଶ କୃତଜ୍ଞ । ଚାଷୀକୁ ତାର ହକ୍ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିାଏ । ସେ କହିଥିଲେ ଯେ ରାଜ୍ୟ ସରକାର କାଳିଆ ଯୋଜନା ଚାଷୀର ସ୍ବାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ସାରା ଦେଶରେ ଏହି ଯୋଜନାକୁ ପ୍ରଶଂସା କରାଯାଇଛି । ରାଜ୍ୟର କୃଷି ଅର୍ଥନୀତିକୁ କାଳିଆ ଯୋଜନା ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ । ଗରିବୀ ଦୂର କରିବା ଏବଂ ଚାଷୀର ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାଳିଆ ଯୋଜନା ଅମୋଘ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କିଛି ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିବା ସହିତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ ।
କେନ୍ଦ୍ର ସରକାର କିଷାନ ଯୋଜନାରୁ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକକୁ ବଂଚିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ କେନ୍ଦ୍ର ଯୋଜନାରେ ସାମିଲ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । କେନ୍ଦ୍ର ଯୋଜନାଠାରୁ କାଳିଆ ଯୋଜନା ଭଲ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ୬୦୦୦ ଟଙ୍କା ବଦଳରେ ଚାଷୀଙ୍କୁ ୧୦,୦୦୦ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋହେଲା-ନୂଆପଡ଼ା ବିଜୁ ଏକ୍ସପ୍ରେସ୍ ଓ୍ବେର ଉଦ୍ଘାଟନ ସହିତ ଗଙ୍ଗାଧର ମେହର ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ସମେତ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ ହଳଧର ନାଗ କୋଶଳୀ, ସମ୍ବଲପୁରୀ ସାହିତ୍ୟ ଗବେଷଣା କେନ୍ଦ୍ର ନିମନ୍ତେ ରାଜ୍ୟ ସରକାର ୨୫ ଲକ୍ଷଟଙ୍କା ମଂଜୁର କରିଥିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବରଗଡ଼ର ଟାଟା କ୍ୟାନସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବା ଏବଂ ବରଗଡ଼ ଚିନିକଳର ପୁନରୁଦ୍ଧାର ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।