ମୁମ୍ବାଇର ଡବ୍‌ବାବାଲାଙ୍କୁ ମାଗଣାରେ ଘର ଦେବେ ମହାରାଷ୍ଟ୍ର ସରକାର

Published: Feb 14, 2020, 3:25 pm IST

ମୁମ୍ବାଇ: ମୁମ୍ବାଇର ଡବ୍ବାବାଲାଙ୍କୁ ମାଗଣାରେ ଘର ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ମୁମ୍ବାଇରେ 5 ହଜାର ଡବ୍‌ବାବାଲାଙ୍କ ପାଇଁ ଘର ନିର୍ମାଣ କରିବେ ମହାରାଷ୍ଟ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଗତ ଏହି ଘର ନିର୍ମାଣ କରାଯିବ। ମନ୍ତ୍ରାଳୟରେ ଆୟୋଜିତ ହୋଇଥିବା ଏକ ବୈଠକରେ ମୁମ୍ବାଇର ଡବ୍‌ବାବାଲାଙ୍କୁ ଘର ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନ ଡବ୍‌ବାବାଲାଙ୍କୁ ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏବେ ସରକାର ଗଢିବା ପରେ ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିଥ୍‌ ପାଓ୍ବାର୍‌ ଏହା ସମ୍ପର୍କରେ ଘୋଷଣା କରିଛନ୍ତି। ବୈଠକ ପରେ ଟୁଇଟ୍‌ କରି ପାଓ୍ବାର ଏ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଡବ୍‌ବାବାଲାଙ୍କୁ ଘର ଦେବାରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁମ୍ବାଇର ଡବ୍‌ବାବାଲା ସଂଘର ପଦାଧିକାରୀ ଶ୍ରମ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, 1980 ମସିହାରୁ ଡବ୍‌ବାବାଲା ମୁମ୍ବାଇରେ ସେବା ଯୋଗାଇ ଆସୁଛନ୍ତି। ପ୍ରାୟ 5 ହଜାର ଡବ୍‌ବାବାଲା ପ୍ରତ୍ୟେକ ଦିନ ମୁମ୍ବାଇରେ 2 ଲକ୍ଷ ଲଞ୍ଚ ବକ୍ସ ଯୋଗାଉଛନ୍ତି।

Related posts