ବସ୍ତା: ରାଜପଥରେ ଚାଲିଥିଲା ନକଲି RTOଙ୍କ ରାଜ୍! ଗାଡ଼ି ଯାଞ୍ଚ ନାଁରେ ଚାଲିଥିଲା ବେଆଇନ ଚାନ୍ଦା ଆଦାୟ। ହେଲେ ପୁଲିସର ଚଢ଼ଉ ପରେ ସବୁ ଯୋଜନା ପଣ୍ଡ ହୋଇଯାଇଛି। ବାଲେଶ୍ୱର ଜିଲା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରୁ ଜଣେ ନକଲି RTOଙ୍କୁ ଜଳେଶ୍ୱର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ବାରଶୋଲ ଥାନା ଅଞ୍ଚଳର ଶମ୍ଭୁ ସାହୁ। ତାଙ୍କ ନିକଟରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପରିବହନ ବିଭାଗର ନକଲି ଫାଇନ୍ ରସିଦ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ସୂଚନା ଅନୁସାରେ, ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ କିଛି ବ୍ୟକ୍ତି ନିଜକୁ ପରିବହନ ବିଭାଗର ଅଧିକାରୀ ଦର୍ଶାଇ ଗାଡ଼ି ଯାଞ୍ଚ କରୁଥିବା ଏବଂ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ନେଇ ପୁଲିସକୁ ଖବର ମିଳିଥିଲା।ଖବର ପାଇ ଜଳେଶ୍ୱର ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଶମ୍ଭୁ ସାହୁ ପୁଲିସ ହାତରେ ଧରାପଡ଼ିଥିଲେ।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପରିବହନ ବିଭାଗର ନକଲି ଫାଇନ୍ ରସିଦ ଜବତ କରିଛି। ଏହା ସହ ଷ୍ଟାମ୍ପ ପେପର, ପ୍ରିଣ୍ଟର, କମ୍ପ୍ୟୁଟର ଏବଂ ଏକ ବାଇକ୍ ମଧ୍ୟ ଜବତ ହୋଇଛି। ଜବତ ସାମଗ୍ରୀକୁ ନେଇ ପୁଲିସ ଅଧିକ ତଦନ୍ତ କରୁଛି। ନକଲି ରସିଦ ମାଧ୍ୟମରେ କେତେ ଦିନ ଧରି ଏଭଳି କାରବାର ଚାଲିଥିଲା ଏବଂ କେତେଜଣ ଏହାର ଶିକାର ହୋଇଛନ୍ତି, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।
ପୁଲିସ ଚଢ଼ଉ ସମୟରେ ଘଟଣାସ୍ଥଳରୁ ଫେରାର ହୋଇଥିବା ସହଯୋଗୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଏହି ନକଲି RTO ଗ୍ୟାଙ୍ଗ୍ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।
ଏହି ଘଟଣାରେ ଜଳେଶ୍ୱର ପୁଲିସ ୫୮୫/୨୬ ନମ୍ବରରେ ମାମଲା ରୁଜୁ କରିଛି। ଗିରଫ ଶମ୍ଭୁ ସାହୁଙ୍କୁ ପଚରାଉଚରା ପରେ ପୁଲିସ କୋର୍ଟ ଚାଲାଣ କରିଛି। ନକଲି RTO ଚକ୍ରର ଚେର କେତେ ଦୂର ଲମ୍ବିଛି, ଏହା ପଛରେ ଆଉ କେଉଁମାନେ ଅଛନ୍ତି ଏବଂ ଏଭଳି ନକଲି ରସିଦ କେଉଁଠାରୁ ପ୍ରସ୍ତୁତ ହେଉଥିଲା—ଏସବୁ ଦିଗରେ ପୁଲିସର ତଦନ୍ତ ଜାରି ରହିଛି।


