ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ କଙ୍କରଡିଆର ନାବାଳିକା

Published: Feb 18, 2020, 1:49 pm IST

ରଞ୍ଜିତ୍ ପଣ୍ଡା

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାଙ୍କୁ ଝାଡଖଣ୍ଡରୁ ଉଦ୍ଧାର କରାଯାଇଛି। ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଅଭିଯୁକ୍ତ ଫିରୋଜ ଓରଫ ଫିରଦୋଶ ଅନସାରୀଙ୍କୁ ଗିରଫ କରିବା ସହିତ ଆଜି ତାଙ୍କୁ ଜଗତସିଂହପୁର ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନାବାଳିକା ଜଣଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶଯେ, କୁଜଙ୍ଗ ବ୍ଳକ ବାଲିଆ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିଲେ ନାବାଳିକା ଜଣକ। ନାବାଳିକାଙ୍କର ଜଣେ ସମ୍ପର୍କୀୟ ଭାଇ ବମ୍ବେର ଏକ ବ୍ୟାକେରୀ ଦୋକାନରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଫିରୋଜ ମଧ୍ୟ ସେଠାରେ କାର୍ଯ୍ୟ କରୁଥିଲେ। କୌଣସି ମତେ ଫିରୋଜ ସମ୍ପୃକ୍ତ ନାବଳିକାଙ୍କ ଭାଇଙ୍କ ମୋବାଇଲରୁ ସମ୍ପୃକ୍ତ ନାବାଳିକାଙ୍କ ଫୋନ ନମ୍ବର ଆଣି ତାଙ୍କ ସହିତ ସମ୍ପର୍କ ରଖିଥିଲା। ଫୋନରେ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୦ ତାରିଖରେ କଟକ ରେଳ ଷ୍ଟେଶନକୁ ଡ଼କାଇଥିଲା। ଏବଂ ସେଠାରୁ ତାଙ୍କୁ ଝାଡ଼ଖଣ୍ଡ ସ୍ଥିତ ନିଜର ଘରକୁ ନେଇଯାଇଥିଲେ। ଏବଂ ପରେ  ନାବାଳିକାଙ୍କ ଘରକୁ ଫୋନ୍‌ କରି୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା। ଟଙ୍କା ବଦଳରେ ଝିଅକୁ ଛାଡିବାକୁ ଧମକ ଦେଇଥିଲା। ଝିଅ ନିଖୋଜ ହେବା ପରେ ନାବାଳିକାଙ୍କ ପିତା ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।  ୪୫/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ଏହି ମାମଲା ରୁଜୁ କରିଥିଲେ। ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡ ସ୍ଥିତ ଘରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

Related posts