ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ପଞ୍ଚାୟତର ଅରାବଳ ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ରୋଷେଇ ଗ୍ୟାସ ପାଇପ୍ ହଠାତ୍ ଫାଟିଯାଇ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୫ ବର୍ଷର ଏକ ଶିଶୁ କନ୍ୟାର କରୁଣ ମୃତ୍ୟୁ ହୋଇଥିବା ବେଳେ ବାପା, ମାଆ ଏବଂ ଜଣେ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକଙ୍କ ପତ୍ନୀ ତିଲୋତ୍ତମା ମଲିକ (୩୫) ନିଜ ରୋଷେଇ ਘରରେ ପରିବାର ପାଇଁ ଜଳଖିଆ ପ୍ରସ୍ତୁତ କରୁଥିଲେ। ସେହି ସମୟରେ ହଠାତ୍ ରୋଷେଇ ଗ୍ୟାସ ସିଲିଣ୍ଡରର ପାଇପ୍ ଫାଟିଯାଇ ଚାରିଆଡ଼େ ଗ୍ୟାସ ବ୍ୟାପିଯାଇଥିଲା ଏବଂ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକଥିଲା ଯେ ଘରର ଲୋକେ ବାହାରକୁ ବାହାରିବାକୁ ମଧ୍ୟ ସୁଯୋଗ ପାଇନଥିଲେ।
ଏହି ଅଗ୍ନିକାଣ୍ଡରେ ଅଭିରାମଙ୍କ ୫ ବର୍ଷର ଝିଅ ମାମାଲି ମଲିକର ଘଟଣାସ୍ଥଳରେ ପ୍ରାଣହାନି ହୋଇଛି। ସେହିପରି ନିଆଁକୁ ଆୟତ୍ତ କରିବାକୁ ଓ ପରିବାରକୁ ବଞ୍ଚାଇବାକୁ ଯାଇ ଅଭିରାମ ମଲିକ (୪୦), ତାଙ୍କ ପତ୍ନୀ ତିଲୋତ୍ତମା ମଲିକ (୩୫) ଏବଂ ବଡ଼ବାପା ଉତ୍ତମ ମଲିକ (୫୦) ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଛନ୍ତି। ଚିତ୍କାର ଶୁଣି ଆଖପାଖର ଲୋକମାନେ ଦୌଡ଼ିଆସି ନିଆଁକୁ ଆୟତ୍ତ କରିବା ସହ ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ଏହି ଦୁର୍ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


