ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ବିଜେପିକୁ ଝଟ୍କା ଲାଗିଛି । ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆପନା ଦଲ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି) ବିଜେପି ହାତ ଛାଡ଼ିବା ନେଇ ଆଶଙ୍କା ଉପୁଜିଛି । ଏହି ପରିପ୍ରେକ୍ଷୀରେ ଆପ୍ନା ଦଲର ସଂରକ୍ଷକ ଅନୁପ୍ରିୟା ପଟେଲ୍ ଏବଂ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି । ତେବେ ଆପନା ଦଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିବାର ସୂଚନା ମିଳିଛି । ଉତ୍ତରପ୍ରଦେଶରେ ବିଜେପି ଆପନା ଦଲକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଅନୁପ୍ରିୟା । ଏହାକୁ ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ସେହିପରି ଏସ୍ବିଏସପିର ମୁଖ୍ୟ ଓମ୍ପ୍ରକାର ରାଜଭର ମଧ୍ୟ ରାଜ୍ୟରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଲାଗି ସମ୍ପର୍କ କରିଥିବା ଜଣାପଡିଛି । ରାଜଭର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଲାଗି ଗଠିତ ସାମାଜିକ ନ୍ୟାୟ ସମିତିର ରିପୋର୍ଟରେ ହୋଇଥିବା ସୁପାରିସ୍କୁ ଲାଗୁ କରିବାକୁ ଦାବି କରିଥିଲେ, ମାତ୍ର ରାଜ୍ୟ ସରକାରଙ୍କ ପ୍ରତ୍ୟାଖାନ ଯୋଗୁଁ ସେ ବିଜେପି ବିମୁଖ ହୋଇପଡିଛନ୍ତି । ଆଉ ହାତରେ ଦୁଇ ମାସର ସମୟ ଥିବାବେଳେ ବିଜେପି ପ୍ରତି ଅନ୍ୟାନ୍ୟ ସହଯୋଗୀ ଦଳ ମାନେ ବିମୁଖ ହେବା କିଛି ଶୁଭ ଲକ୍ଷଣ ଦେଖାଉନାହିଁ ।
ବିଜେପି ପ୍ରତି ବିମୁଖ : ସାଥ୍ ଛାଡ଼ିବେ ଆପ୍ନା ଦଲ୍ ଏସବିଏସପି
Published:
Feb 22, 2019, 4:18 pm IST
Tags: