‘ମୈନେ ପ୍ୟାର୍ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଆଜି ହେଉଛି ୫୦ ତମ ଜନ୍ମଦିନ। ୨୩ ଫେବୃଆରୀ ୧୯୬୯ ମସିହାରେ ଭାଗ୍ୟଶ୍ରୀ ଜନ୍ମ ନେଇଥିଲେ। ଭାଗ୍ୟଶ୍ରୀ ‘କଚ୍ଚି ଧୁପ୍’ ସିରିଏଲ୍ରୁ କ୍ୟାରିଅର୍ ଆରମ୍ଭ କରିଥିବାବେଳେ୧୯୮୯ ମସିହାରେ ସଲମାନ୍ ଖାନ୍ଙ୍କ ସହିତ ବ୍ଲକବ୍ଲଷ୍ଟର ଫିଲ୍ମ ‘ମୈନେ ପ୍ୟାର୍ କିୟା’ ଫିଲ୍ମରେ ଅଭିନୟ କରି ସଫଳତା ସାଉଁଟି ଥିଲେ । ଭାଗ୍ୟଶ୍ରୀଙ୍କର ପୂରା ନାମ ଭାଗ୍ୟଶ୍ରୀ ପଟ୍ଟବର୍ଦ୍ଧନ୍। ମାତ୍ର ୧୮ ବର୍ଷ ବୟସରେ ‘ମୈନେ ପ୍ୟାର୍ କିୟା’ ଫିଲ୍ମ ସୁଟିଂ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳତା ହେବା ସହିତ ଭାଗ୍ୟଶ୍ରୀ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସଫଳତା ଅର୍ଜନ କରିଥିଲେ। ଏହାପରେ ଭାଗ୍ୟଶ୍ରୀ ପିଲାବେଳର ବନ୍ଧୁ ହିମାଳୟ ଦସ୍ତାନୀଙ୍କୁ ବିବାହ କରିଥିଲେ। ୧୯୯୨ରେ ଭାଗ୍ୟଶ୍ରୀ ତାଙ୍କ ସ୍ୱାମୀ ହିମାଳୟଙ୍କ ସହିତ ‘ତ୍ୟାଗୀ’, ‘ପାୟଲ୍’ ଓ ‘କୈଦ୍ ମେଁ ହେ ବୁଲ୍ବୁଲ୍’ ପରି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ଏହି ତିନୋଟି ଫିଲ୍ମ ବକ୍ସ ଅଫିସ୍ରେ ଏତେଟା ସଫଳତା ସାଉଁଟି ପାରିନଥିଲା। ଏଥିପାଇଁ ସେ ଅଭିନୟଠାରୁ ଦୂରେଇ ରହିଥିଲେ। ପରବର୍ତ୍ତୀ ସମୟରେ ୨୦୦୩ରେ ’ମା’ ସନ୍ତୋଷୀ ମା’ (୨୦୦୩), ‘ହମ୍କୋ ଦିଓ୍ବାନା କର ଗୟେ (୨୦୦୬), ’ରେଡ୍ ଆଲର୍ଟ : ଦ ଓ୍ବାର୍ ଓ୍ବିଥ୍ଇନ୍ (୨୦୧୦)ରେ ମଧ୍ୟ ଅଭିନୟ କରିଥିଲେ । ୨୦୧୪ରେ ପୁଣି ଥରେ ଛୋଟପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଭାଗ୍ୟଶ୍ରୀ । ଲାଇଫ୍ଓକେରେ ପ୍ରସାରିତ ହେଉଥିବା ‘ଲୌଟ୍ ଆଓ୍ବ ତ୍ରିଶା’ରେ ମଧ୍ୟ ନଜର ଆସିଥିଲେ । ସେ କେବଳ ହିନ୍ଦୀ ଫିଲ୍ମ ନୁରହଁ କନ୍ନଡ଼, ମରାଠୀ, ତେଲୁଗୁ ଓ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଭାଗ୍ୟଶ୍ରୀଙ୍କର ଅଭିମନ୍ୟୁ ଓ ଅବନ୍ତିକା ନାମରେ ଦୁଇଟି ପୁଅଝିଅ ରହିଛି। ପୁଅ ଅଭିମନ୍ୟୁଙ୍କ ଫିଲ୍ମ ‘ମର୍ଦ କୋ ଦର୍ଦ’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।