କଂଗ୍ରେସ କ୍ଷମତାକୁ ଆସିଲେ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କୁ ମଧ୍ୟ ‘ଶହୀଦ୍‌’ ମାନ୍ୟତା ପ୍ରଦାନ କରିବ: ରାହୁଲ

Published: Feb 23, 2019, 7:07 pm IST

ଆଜି ନୂଆଦିଲ୍ଲୀ ଠାରେ ଜବାହର ଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଯୋଗଦେଇ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ନରେନ୍ଦ୍ର ମୋଦି ସରକାରଙ୍କ ବିରୁଦ୍ଧରେ ଆକ୍ରମଣ କରି କହିଛନ୍ତି ଯେ ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ସେ ସାମରିକ ବାହିନୀର ଯବାନମାନଙ୍କ ପରି ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ ମଧ୍ୟ ‘ଶହୀଦ୍‌’ ମାନ୍ୟତା ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ‘ଶହୀଦ୍‌’ ମାନ୍ୟତା ପ୍ରଦାନକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ହୋଇଛି। କେବଳ ମାତ୍ର ସାମରିକ ବାହିନୀରେ କାର୍ଯ୍ୟରତ ଯବାନ କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର୍ଯ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି, ତେବେ ତାଙ୍କୁ କେବଳ ‘ଶହୀଦ୍‌’ର ମାନ୍ୟତା ମିଳିବ ଏବଂ ‘ଶହୀଦ୍‌’ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ପ୍ରକାରର ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏବଂ ଅର୍ଦ୍ଧ ସାମରିକ ବାହିନୀର ଯବାନ ଯଦି କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର୍ଯ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି ତେବେ ତାଙ୍କୁ ସରକାର ରାଷ୍ଟ୍ରୀୟ ସମ୍ମାନ ସହ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବେ ସିନା କିନ୍ତୁ ‘ଶହୀଦ’ ମାନ୍ୟତା ଦେଇ ପାରିବେ ନାହିଁ କିମ୍ବା ‘ଶହୀଦ୍‌’ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ। ଏହି ଘଟଣା ପରେ ଏବେ ଅର୍ଦ୍ଧ ସାମରିକ ବାହିନୀ ରୂପେ ବିବେଚିତ ହେଉଥିବା ସିଆରପିଏଫ୍‌, ବିଏସ୍‌ଏଫ୍‌, ଆସାମ ରାଇଫଲ ପରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

 

Related posts