ଟ୍ରେନ୍‌ ବିଳମ୍ବ ହେବାରୁ ରାଜଧାନୀ ଏକ୍ସପ୍ରେସ୍‌ରେ ବୋମା ନେଇ ଟ୍ବିଟ୍‌ କଲେ ବ୍ୟକ୍ତି

Published: Feb 29, 2020, 11:33 am IST

ନୂଆଦିଲ୍ଲୀ : ଟ୍ରେନ୍‌ ବିଳମ୍ବ ହେବାରୁ ଗ୍ବାଲିୟରର ଜନୈକ ବ୍ୟକ୍ତି ଏକ ଗୁଜବକୁ ନେଇ ଟ୍ବିଟ୍‌ କରିଛନ୍ତି । ଦିବ୍ରୁଗଡରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ 5ଟି ବୋମା ରହିଥିବା ନେଇ ସଞ୍ଜୀବ ଗୁର୍ଜର ନାମକ ଜଣେ ବ୍ୟକ୍ତି ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ ପରେ ରେଳବାଇ ପକ୍ଷରୁ ଦାଦ୍ରୀ ଷ୍ଟେସନରେ ଟ୍ରେନ୍‌ଟିକୁ ରୋକାଯିବା ସହିତ ଖୋଜାଖୋଜି କରାଯାଇଥିଲା । କୌଣସି ବୋମା ନମିଳିବା ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା । ଉଲ୍ଲକେଖଯୋଗ୍ୟ ଯେ, ନିଜ ଭାଇଙ୍କୁ ଷ୍ଟେସନରୁ ଆଣିବାକୁ ଯାଇଥିଲେ ଗୁର୍ଜର । ମାତ୍ର ଭାଇଙ୍କ ଟ୍ରେନ୍‌ 4 ଘଣ୍ଟା ବିଳମ୍ବ ଥିବାରୁ ରାଗରେ ଏହି ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ର ଦୁଇଘଣ୍ଟା ପରେ ଗୁର୍ଜର ଆଉ ଏକ ଟ୍ବିଟ୍‌ କରିଥିଲେ । ଟ୍ରେନ୍‌ ବିଳମ୍ବ ଥିବାରୁ ମୋର ମାନସିକ ସ୍ଥିତି ଠିକ୍‌ ନଥିଲା ତେଣୁ ଏପରି ଗୁଜବ ସୃଷ୍ଟି କରିଥିବାରୁ ସେ ରେଳବାଇ ନିକଟରୁ କ୍ଷମା ପ୍ରାର୍ଥନା କରିଥିଲେ । ଏହି ଘଟଣା ପରେ ରେଳବାଇ ଡିଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରି ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ଡିଜି ପ୍ରକାଶ କରିଛନ୍ତି । (ଏଜେନ୍ସି)

Related posts