କାଶ୍ମୀର ଉପତ୍ୟକାରେ ଉତ୍ତେଜନା

Published: Feb 24, 2019, 1:46 pm IST

ଫୁଲୱାମା ଘଟଣା ପରେ ସରକାର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସମ୍ବିଧାନର ଧାରା ୩୫-କ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଜମାତ୍‌-ଇ-ଇସ୍‌ଲାମୀ ନେତା ଅବ୍‌ଦୁଲ ହମିଦ ଫୟାଜଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି । ଫଳରେ କାଶ୍ମୀର ଉପତ୍ୟକାରେ ଉତ୍ତେଜନା ବୃଦ୍ଧିପାଇଛି । ପୋଲିସ ଏହାକୁ ନିୟମିତ କାର୍ଯ୍ୟାନୁଷ୍ଠାନ କହିଥିବାବେଳେ ଜମାତ ସଂଗଠନ ବିରୋଧରେ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଧାରା ୩୫-କ ଜମ୍ମୁ-କାଶ୍ମୀରର ଜନସାଧାରଣଙ୍କୁ ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଯୋଗାଇ ଦେଉଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକମାନେ ରାସ୍ତାକୁ ଓହ୍ଲାଇବା ଫଳରେ ଉତ୍ତେଜନା ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ସରକାର କଶ୍ମୀରକୁ ଅଧିକ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ପାଖାପାଖି ୧୦ ହଜାର ଯବାନ) ପଠାଇଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ପୂର୍ବରୁ ପୋଲିସ୍‌ର ରାତି ଅଧିଆ ଗିରଫଦାରିକୁ ନେଇ ଜମାତ ସନ୍ଦେହ ବ୍ୟକ୍ତ କରିଛି । ଶୁକ୍ରବାର ରାତିରେ ପୋଲିସ ଜେକେଏଲଏଫ୍‌ ମୁଖ୍ୟ ୟାସିନ୍‌ ମଲିକଙ୍କୁ ଗିରଫ କରି ଜେଲ୍‌ ପଠାଇଦେଇଛି । ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି । ଉପତ୍ୟକାରେ ଗଣଗିରଫଦାରିର ବୈଧାନିକତାକୁ ନେଇ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ପ୍ରଶ୍ନ ଉଠାଇଛନ୍ତି । ହୁରିୟାତ୍‌ ଓ ଜମାତ ସଂଗଠନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଏକତରଫା ଓ ସ୍ୱେଚ୍ଛାଚାରୀ ବୋଲି ସେ କହିଛନ୍ତି ।

Related posts