ବଦଳିଲା ଐତିହାସିକ ସିଟି ଛକର ନାମ, ବଦଳି ହେଲା ଭାରତ ମାତା ଛକ

Published: Mar 2, 2020, 9:29 am IST

ଜମ୍ମୁ : ଜମ୍ମୁ ନଗର ନିଗମ ସହରର କିଛି ଛକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ଅଧୀନରେ ସହରର ଲୋକପ୍ରିୟ ତଥା ଐତିହାସିକ ସିଟି ଛକର ନାମକୁ ବଦଳାଇ ଭାରତ ମାତା ଛକ କରିଛି । ଏତଦ୍‌ବ୍ୟତୀତ ସର୍କୁଲାର୍‌ ରୋଡ୍‌ ଛକର ନାମକୁ ବଦଳାଇ ଅଟଳଜୀ ଛକ୍‌ କରିଛି। ତେବେ ଏହି ଛକର ନାମ ବଦଳାଇବାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍‌ କରିଛି । ବିଜେପି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅନୁସରଣ କରିବା ପରିବର୍ତ୍ତେ ନିଜ ଇଚ୍ଛା ମୁତାବକ ସହରର ଛକର ନାମକୁ ବଦଳାଇବାରେ ଲାଗିଛି ।

ରବିବାର ଦିନ ନଗରମ ନିଗମ ପକ୍ଷରୁ ଏହି ଦୁଇ ଛକରେ ନୂତନ ନାମର ବୋର୍ଡ ଲଗା ମଧ୍ୟ ଯାଇଛି । ସହରର ଅନ୍ୟ କିଛି ଛକର ନାମକୁ ମଧ୍ୟ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି। ପୁରୁଣା ସହର କଚ୍ଚୀ ଛାବନୀଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସାଢ 8 ଫୁଟର ପ୍ରତିମା ସ୍ଥାପନ ହେବ ବୋଲି ମଧ୍ୟ ସୂଚନା ରହିଛି ।

ତେବେ ସହରର ଦୁଇ ଲୋକପ୍ରିୟ ଛକର ନାମ ପରିବର୍ତ୍ତନ ହୋଇ ଭାରତ ମାତା ଛକ ଓ ଅଟଳଜୀ ଛକ ହେବା ନେଇ କିଛି  ପ୍ରସ୍ତାବ ପାରିତ ହୋଇନଥିବାବେଳେ ବିଜେପି ମନଇଚ୍ଛା ଛକ ଗୁଡିକର ନାମ ପରିବର୍ତ୍ତନ କରିବାରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କିନ୍ତୁ ବିଜେପି ନେତୃତ୍ବାଧୀନ ଜମ୍ମୁନଗର ନିଗମ (ଜେଏମସି)ର ଏକ ସାଧାରଣ ସଭାରେ ଛକର ନାମ ପରିବର୍ତ୍ତନ ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା ବୋଲି ବିଜେପି କହିଛି  ।ଛକର ନାମ ପରିବର୍ତ୍ତନକୁ ନେଇ ଅନେକ ମିଶ୍ର ପ୍ରତିକ୍ରିୟା ଆସିଛି । ଜେଏମସି କେବଳ ନାମ ପରିବର୍ତ୍ତନ ଉପରେ ଜୋର୍‌ ନ ଦେଇ ବିକାଶ ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେଉ ବୋଲି ଦାବି ହୋଇଛି। (ଏଜେନ୍ସି)

Related posts