ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଜାଣନ୍ତୁ ଆଜି କେଉଁ କେଉଁ ଟ୍ରେନ୍‌ ହୋଇଛି ବାତିଲ୍‌

Published: Mar 2, 2020, 9:45 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭାରତୀୟ ରେଳବାଇ ତରଫରୁ ସୋମବାର ଅର୍ଥାତ୍‌ ମାର୍ଚ୍ଚ ଦୁଇ ତାରିଖରେ ବାତିଲ୍‌ ହେବାକୁ ଥିବା ଟ୍ରେନ୍‌ର ସୂଚନା ଜାରି କରିଛନ୍ତି। ରେଳବାଇ ସୂଚନା ଅନୁସାରେ ସୋମବାର ଦିନ 821ଟି ଟ୍ରେନ୍‌ ବାତିଲ୍‌ ହେବ।

ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ ଅଧିକାଂଶ ପ୍ୟାସେଞ୍ଜର ଟ୍ରେନ୍‌ ରହିଛି। ଆଜି ଯାତ୍ରା କରିବାକୁ ବାହାରିଥିବା ଯାତ୍ରୀମାନେ ସୂଚୀ ଦେଖି ଯାତ୍ରା ଆରମ୍ଭ କରିବା ଉଚିତ୍‌।

ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ  ପ୍ୟାସେଞ୍ଜର, ମେଲ୍, ସ୍ପେଶାଲ୍‌, ଜନଶତାବ୍ଦୀ, ସମ୍ପର୍କକ୍ରାନ୍ତି, ହମସଫର୍‌, ସପ୍ତକ୍ରାନ୍ତି ଏକ୍ସପ୍ରେସ୍‌ ଓ ଡବଲ ଡେକର୍‌ ସାମିଲ୍‌ ରହିଛି । ଏହି ଟ୍ରେନ୍‌ଗୁଡିକ ମଧ୍ୟରେ ଦିଲ୍ଲୀରୁ ହାଓ୍ବାଡା, ଛପରା, ପାଟନା, ଗୋରଖପୁର, ଲକ୍ଷ୍ନୌ, ବାରାଣାସୀ ସମେତ କିଛି ବଡ ବଡ ସହରକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡିକ ମଧ୍ୟ ସାମିଲ୍‌ ରହିଛନ୍ତି ।

ଭାରତୀୟ ରେଳବାଇ ଦ୍ବାରା ଜାରି କରାଯାଇଥିବା ସୂଚୀ ଅନୁସାରେ ମାର୍ଚ୍ଚ ଦୁଇ ତାରିଖରେ 594ଟି ଟ୍ରେନ୍‌ ସମ୍ପୂର୍ଣ୍ଣ ରୂପେ ବାତିଲ୍‌ ହୋଇଥିବାବେଳେ 227ଟି ଟ୍ରେନ୍‌ ଆଂଶିକ ବାତିଲ୍‌ କରାଯାଇଛି। ଏତଦ୍‌ବ୍ୟତୀତ ସୋମବାର ଦିନ ଚାଲୁଥିବା 24ଟି ଟ୍ରେନ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି 31ଟି ଟ୍ରେନ୍‌ର ରୁଟ୍‌କୁ ଡାଇଭର୍ଟ କରିଦିଆଯାଇଛି । କିଛି ଟ୍ରେନ୍‌ର ମରାମତି କାରଣରୁ ଟ୍ରେନ୍‌ ସମୟରେ ମଧ୍ୟ ବିଳମ୍ବ କରାଯାଇଛି ।

ବାତିଲ୍‌ ହୋଇଥିବା ଟ୍ରେନ୍‌ର ଲିଷ୍ଟ ଦେଖିବା ପାଇଁ ଭାରତୀୟ ରେଳବାଇ ଓ୍ବେବସାଇଟ୍‌କୁ ଯାଇ ସୂଚନା ପ୍ରାପ୍ତ କରନ୍ତୁ। (ଏଜେନ୍ସି)

Related posts