ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପଓ୍ବନର କ୍ୟୁରେଟିଭ୍‌  ପିଟିସନ୍‌ ଖାରଜ

Published: Mar 2, 2020, 11:29 am IST

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନଙ୍କୁ ସୁପ୍ରିମ୍‌କୋର୍ଟଙ୍କୁ ବଡ ଝଟ୍‌କା ମିଳିଛି । ସୁପ୍ରିମ୍‌କୋର୍ଟ ପଓ୍ବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲ୍‌ ଦଣ୍ଡ କରିବାକୁ ଆବେଦନ କରିଥିଲା । ଜଷ୍ଟିସ୍‌ ଏନ୍‌ବି ରମନ୍ନା, ଜଷ୍ଟିସ୍‌ ଅରୁଣ ମିଶ୍ରା, ଜଷ୍ଟିସ୍‌ ରୋହିନ୍ତନ୍‌ ନରୀମନ, ଜଷ୍ଟିସ୍‌ ଭାନୁମତି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ତିନି ତାରିଖ ସକାଳ 6ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ଚାଲ୍‌ ଆପଣାଉଛନ୍ତି । ଏବେ ପଓ୍ବନ ପାଖରେ ରାଜକ୍ଷମା ଆବେଦନର ଆଉ ଏକ ସୁଯୋଗ ରହିଥିବାବେଳେ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ପୁନର୍ବାର ରାଜକ୍ଷମା ପାଇଁ ଆବେଦନ କରିଛି । ଏପରି କ୍ଷେତ୍ରରେ ଆସନ୍ତାକାଲି ଫାଶୀ ହେବା ନେଇ ସଂଶୟ ସୃଷ୍ଟି ହୋଇଛି । ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ କୁରେଟିଭ୍‌ ପିଟିସନ୍‌ ପୂର୍ବରୁ ଖାରଜ ହୋଇସାରିଛି। ଗତ ସାତ ବର୍ଷ ଧରି ନିର୍ଭୟା ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇଁ ଲଢେଇ କରୁଥିବାବେଳେ ଦୋଷୀମାନେ ଫାଶୀରୁ ବର୍ତ୍ତିବା ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । (ଏଜେନ୍ସି)

Related posts