ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କାଳିଆ ଟଙ୍କା କେଳେଙ୍କାରୀ ଘଟଣାର ଗୃହ କମିଟି ତଦନ୍ତ ଦାବିରେ ଆଜି ବିଜେପି ସଭ୍ୟମାନେ ବିଧାନସଭାକୁ ଅଚଳ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯକ୍ରମ ଅନୁସାରେ ବିଧାନସଭାର କାର୍ଯ୍ୟ ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରିବା ମାତ୍ରେ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ ଏବଂ ଗୃହ କମିଟି ଗଠନ ନିମେନ୍ତ ନାରାବାଜି ଚଳାଇଥିଲେ । ତେବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇ ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ ଜଣାଇଥିଲେ । ମାତ୍ର ବିଜେପି ସଭ୍ୟମାନେ ସେମାନଙ୍କ ଜିଦ୍ରେ ଅଟଳ ରହି ନାରାବାଜି ଜାରି ରଖିବାରୁ ବାଚସ୍ପତି ଶ୍ରୀ ପାତ୍ର କେବଳ ଦୁଇ ମିନିଟ୍ ପରେ ଅର୍ଥାତ୍ ପୂର୍ବାହ୍ନ ଦଶଟା 32 ମିନିଟ୍ରେ ବିଧାନସଭାର କାର୍ଯ୍ୟ ସାଢ ଏଗାରଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଜାରି ରଖିଥିବାବେଳେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ କିଛି କହୁଥିବା ଦେଖାଯାଇଥିଲା । କିନ୍ତୁ ହଟ୍ଟଗୋଳ ମଧ୍ୟରେ କଂଗ୍ରେସ ସଭ୍ୟଙ୍କ ବକ୍ତବ୍ୟ କିଛି ଶୁଣାଯାଇନଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ‘କାଳିଆ ଟଙ୍କା କେଳେଙ୍କାରୀ’ ବିଷୟ ମୁଲତବୀ ପ୍ରସ୍ତାବ ଆକାରରେ ଅନାଲୋଚିତ ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘଟଣାର ଗୃହ କମିଟି ତଦନ୍ତ ଦାବି କରିଥିବାବେଳେ ଶାସକ ବିଜେଡି ସଭ୍ୟମାନେ ଦର୍ଶାଇଥିଲେ ଯେ, ବ୍ୟାଙ୍କଗୁଡିକୁ ନିୟନ୍ତ୍ରଣ କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର । ଆଇନ ଅନୁସାରେ ରିଜର୍ଭ ବ୍ୟାଙ୍କ ଜରିଆରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡିକୁ ନିୟନ୍ତ୍ରିତ କରିଥାଆନ୍ତି । ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ଉତ୍ତରଦାନ କାଳରେ ଗୃହ କମିଟି ଗଠନ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ନ ଦେବା ଯୋଗୁଁ ତା’ର ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ମାତ୍ର ସେତେବେଳେ ଗୃହରେ ଉପସ୍ଥିତ ଥିବା ଅଳ୍ପ ସଂଖ୍ୟକ ବିଜେପି ସଭ୍ୟ ନିଜ ନିଜ ଆସନରେ ବସି ରହିଥିଲେ । ଗତକାଲି ଗୃହରେ କକ୍ଷତ୍ୟାଗ କରି କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରି କଂଗ୍ରେସ ସଭ୍ୟମାନେ ଏହି ପ୍ରସଙ୍ଗରୁ ଭରପୂର ରାଜନୈତିକ ଫାଇଦା ହାସଲ କରିଥିବାରୁ ଆଜି ବିଜେପି ସଭ୍ୟମାନେ ବିଧାନସଭା ଅଚଳ କରି ଏଥିରୁ ଯଥାସମ୍ଭବ ଫାଇଦା ହାସଲ ନିମେନ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।