ଧମାଲ୍‌ କରୁଛି ‘ଟୋଟାଲ୍‌ ଧମାଲ୍‌’

Published: Feb 26, 2019, 1:07 pm IST
totaldhamal doing better business in india

ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳିଛି ଅପୂର୍ବ ସଫଳତା । ଦର୍ଶକେ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍‌ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୪ ଦିନରେ ଫିଲ୍ମଟି ୭୦ କୋଟି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ କୋଟି ୫୦ ଲକ୍ଷ, ଦ୍ୱିତୀୟ ଦିନରେ ୨୦ କୋଟି ୪୦ ଲକ୍ଷ, ତୃତୀୟ ଦିନରେ ଏହା ୨୫ କୋଟି ୫୦ ଲକ୍ଷ ଟଙ୍କା ଓ ଚତୁର୍ଥ ଦିନରେ ୩୬କୋଟି ୯୦ଲକ୍ଷ ଆୟ କରିଛି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡ ସୁଦ୍ଧା ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି। ଧମାଲ ପ୍ରାଞ୍ଚାଇଜ୍‌ର ଏହା ହେଉଛି ତୃତୀୟ ଫିଲ୍ମ। ଏଥିରେ ନବେ ଦଶକର ହିଟ୍‌ ଯୋଡ଼ି ଅନୀଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି ଇନ୍ଦ୍ର କୁମାର । ଧମାଲ ସିରିଜ୍‌ର ପ୍ରଥମ ଫିଲ୍ମ ‘ଧମାଲ’ର ସର୍ବମୋଟ ଆୟ ୩୨ କୋଟି ୫୧ ଲକ୍ଷ ଟଙ୍କା ଥିଲା, ସେହିପରି ଏହାର ଦ୍ୱିତୀୟ ଫିଲ୍ମ ‘ଡବଲ ଧମାଲ୍’ର ସର୍ବମୋଟ ଆୟ ଥିଲା ୪୫ କୋଟି ୬ ଲକ୍ଷ ଟଙ୍କା। ହେଲେ ସିରିଜ୍‌ର ତୃତୀୟ ଫିଲ୍ମ ‘ଟୋଟାଲ୍‌ ଧମାଲ’ର ପ୍ରଥମ ୩ ଦିନର ଆୟ ଦେଖି ଏହା ବାରି ହେଇଯାଉଛି ଯେ ଫିଲ୍ମଟି ଚଳିତ ବର୍ଷର ବ୍ଲକବଷ୍ଟର ଫିଲ୍ମ ମାନଙ୍କ ମଧ୍ୟରେ ସାମିଲ ହେବ।

Related posts