ମାନସିକ ଦୁଶ୍ଚିନ୍ତାରେ ନିଜର ଆଙ୍ଗୁଠି କାଟିଲେ ରୋଗୀ

Published: Mar 15, 2020, 10:27 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜନୈକ ରୋଗୀ ମାନସିକ ଭାରସାମ୍ୟ ହରାଇ ନିଜେ ନିଜ ହାତର ଚାରୋଟି ଆଙ୍ଗୁଠି କାଟିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ବ୍ରହ୍ମପୁର ଏମ୍‌କେସିଜିରେ ଦେଖିବାକୁ ମିଳିଛି । ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ମାଲକାନାଗିରି ଜିଲ୍ଲାର ସିଆଡ଼ିମାଳ ଅଂଚଳର ଗଙ୍ଗା ମାଡ଼କାମୀ ଗତ ୯ ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମ୍‌କେସିଜିର ଅସ୍ଥି ଶଲ୍ୟ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ । ରବିବାର ଦିନ ୧୧ଟା ସମୟରେ ମାନସିକ ଭାରସାମ୍ୟ ହରାଇ ନିଜ ୱାର୍ଡ଼ରୁ ବାହାରି ମେଡ଼ିକାଲ୍ ପରିସରରେ ଥିବା ଶୌଚାଳୟ ନିକଟକୁ ଯାଇଥିଲେ । ସେଠାରେ ଏକ ଧାରୁଆ ଅସ୍ତ୍ର କେଉଁଠାରୁ ଆଣି ନିଜ ହାତର ଆଙ୍ଗୁଠିଗୁଡ଼ିକ କାଟି ଦେଇଥିଲେ । ପରେ ନିଜ ହାତରୁ ପ୍ରବଳ ରକ୍ତସ୍ରାବ ହେଉଥିବା ସମୟରେ ସେ ପୁଣି ନିଜ ୱାର୍ଡ଼କୁ ଫେରିଥିଲେ । ପରିବାର ଲୋକ ଏହା ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ପୁଣି କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଛି ।

Related posts