ଭାରତୀୟ ପାଇଲଟ୍‌ଙ୍କୁ କାଲି ଛଡ଼ାଯିବ – ଇମ୍ରାନ୍‌ ଖାନ୍‌

Published: Feb 28, 2019, 5:02 pm IST
Wing Commander Abhinandan to be released tomorrow: Imran Khan

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ୱିଙ୍ଗ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଆସନ୍ତା କାଲି ଭାରତକୁ ଫେରାଇଦେବେ ବୋଲି କହିଛନ୍ତି । ଏନେଇ ଇମ୍ରାନ୍‌ ଖାନ୍‌ ସଂସଦରେ ଘାେଷଣା କରିଛନ୍ତି । ବିଶ୍ୱ ସମୁଦାୟ ଆଗରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାଇଁ ପାକିସ୍ତାନ ନିନ୍ଦିତ ହୋଇପଡିଛି । ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନ ଉପୁଜାଇବା ପାଇଁ ତଥା ନିଜର ପ୍ରତିଛବି ବଦଳାଇବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ରକ୍ଷା କରିବାକୁ  ଚାହିଁଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଫୋନ୍‌ରେ ବାର୍ତ୍ତାଳାପ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସୂଚନା ରହିଥିଲା । ସେହିପରି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନେଜିର ଭୁଟ୍ଟୋଙ୍କ ନାତୁଣୀ ତଥା ଲେଖିକା ଫାତିମା ଭୁଟ୍ଟୋ ମଧ୍ୟ ଭାରତୀୟ ପାଇଲଟ୍‌କୁ ଭାରତକୁ ଫେରାଇଦେବାକୁ ଇମ୍ରାନ୍‌ ଖାନ୍‌ଙ୍କୁ ଅନୁରୋଧ କରିଛନ୍ତି ।  ଗତକାଲି ପାକିସ୍ତାନ ସେନା ବିମାନ ଏଫ୍‌-୧୬ ଭାରତରେ ବାୟୁସୀମା ଉଲ୍ଲଂଘନ କରିଥିବାବେଳେ ଭାରତୀୟ ସେନା ଗୁଳି ମାରି ବିମାନଟିକୁ ଖସାଇ ଦେଇଥିଲେ । ସେହିପରି ପାକିସ୍ତାନୀ ସେନା ମଧ୍ୟ ଭାରତର ଏକ ଯୁଦ୍ଧ ବିମାନକୁ ଖସାଇବା ସହ ଜଣେ ଭାରତୀୟ ଓିଙ୍ଗ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବନ୍ଦୀ କରି ନେଇ ଯାଇଥିଲେ । ଭାରତୀୟ ବାୟୁସେନାର ପାଇଲଟ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ସୁରକ୍ଷିତ ଫେରାଇବା ପାଇଁ କୌଣସି ମୂଲଚାଲ ବା ଡିଲ୍‌କୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କୁହାଯିବା ସହିତ ପାକିସ୍ତାନ ତାଙ୍କୁ ତୁରନ୍ତ ଭାରତକୁ ଫେରାଉ ବୋଲି ଦାବି କରାଯାଇଥିଲା । ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇବାକୁ ପାକ ଅଧିକାରୀଙ୍କୁ ତାଗିଦ କରାଯାଇଛି।

 

Related posts