ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ଅଲାଇଡି ନିକଟସ୍ଥ ବାଇପାସ୍ ଉପରେ ଆଜି ଏକ କଲରାପତରିଆ ବାଘ ମୃତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା। ଏହି ବାଘକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ଭୋର୍ ସମୟର କୌଣସି ଅଜଣା ଗାଡି ଦ୍ବାରା ବାଘଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ପଞ୍ଝାରୁ ରକ୍ତସ୍ରାବ ହୋଇଥିବାରୁ ବାଘଟି କୌଣସି ଅଜଣା ଗାଡି ଦ୍ବାରା ଦୁର୍ଘଟଣାର ଶିକାର ହୋଇଥିବାର ଅନୁମାନ କରାଯାଉଛି।
ବାଘର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଜନଗହଳିପୂର୍ଣ୍ଣ ସହର ମଧ୍ୟକୁ ବାଘଟି କେମିତି ଆସିଲା, ତାହାକୁ ନେଇ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି। ଲକ୍ ଡାଉନ୍ ଯୋଗୁଁ ରାସ୍ତା ଘାଟ ଶୂନଶାନ ରହିଥିବାରୁ ବାଘଟି ସହର ଅଭିମୁଖେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ବାଘଟି ସହର ମଧ୍ୟକୁ ଆସିବା ପରେ ବାଘ ପରି ଅନେକ ବନ୍ୟ ହିଂସ୍ର ଜନ୍ତୁ ମଧ୍ୟ ସହରମଧ୍ୟକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଆତଙ୍କିତ ପରିବେଶ ସୃଷ୍ଟି ହୋଇ ରହିଛି।