ଭୁବନେଶ୍ବର: ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟ ରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ଆଜି ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା ମ୍ୟାପ୍ରୁ ଏହି ତଥ୍ୟ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ମ୍ୟାପ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ସଙ୍କ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁରରୁ ଏବଂ ସୁନ୍ଦରଗଡରୁ ଆଉଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାଜପୁରର ପାଞ୍ଚ ଆକ୍ରାନ୍ତ କୋଲକାତାରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରେ ଯାଜପୁର ବ୍ଲକ୍ର ତିନି ଜଣ ରହିଥିବା ବେଳେ କୋରେଇ ଏବଂ ଦଶରଥପୁର ବ୍ଲକ୍ର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ପାଞ୍ଚ ପୁରୁଷଙ୍କ ମଧ୍ୟରେ ଜଣେ ୨୮ ବର୍ଷୀୟ, ଜଣେ ୩୨ ବର୍ଷୀୟ ଏବଂ ଅନ୍ୟ ତିନି ଜଣଙ୍କ ବୟସ ୫୦ରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଲା
Published:
Apr 20, 2020, 3:22 pm IST