ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର ଟପିଲା, ଆଉ 6 ପୋଲିସ୍‌ଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ

Published: May 8, 2020, 11:48 pm IST

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ସର୍ବାଧିକ କରୋନା ଯୋଗୁଁ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ କରୋନା କହର ଥମିବାର ନାଁ ନେଉନାହିଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 19 ହଜାର ପାର୍‌ କରିଛି । ସେହିପରି ଜେଜେ ପୋଲିସ୍‌ ଷ୍ଟେସନର ଆଉ 6 ଜଣ ପୋଲିସ୍‌ଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 1089 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟାରେ 37 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 19063ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି । ସେହିପରି 3470ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରର ମୁମ୍ବାଇ ସହର କରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି । ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 748ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 25 ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 462ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ମହାରାଷ୍ଟ୍ରରେ ସୁରକ୍ଷ‌ କର୍ମୀମାନେ କରୋନା ଯୋଗୁଁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି । ମୁମ୍ବାଇର ଜେଜେ ପୋଲିସ୍‌ ଷ୍ଟେସନରେ  ଆଉ 6 ଜଣ ପୋଲିସ୍‌  କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଏହି ପୋଲିସ ଷ୍ଟେସନରୁ 34 ଜଣ ପୋଲିସ୍‌ ସଂକ୍ରମିତ ହୋଇଥିଲେ ।  ଏହି ପୋଲି୍ସ ଷ୍ଟେସନରେ ଅଧିକାଂଶ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଛି । (ଏଜେନ୍ସି)

 

Related posts