ପାଟଣାଗଡ଼ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି

Published: Mar 6, 2019, 7:32 pm IST
newborn babyboy has stole from patanagada medical

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) । ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍‌ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିବାବେଳେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।  ପାଟଣାଗଡ଼ ଡାକ୍ତରଖାନାରେ ବାରମ୍ବାର ବାଇକ୍‌ ଚୋରି, ମୋବାଇଲ ଚୋରି ତଥା ରୋଗୀ ମାନଙ୍କ ବିଭିନ୍ନ ସାମଗ୍ରୀ ଚୋରି ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଡାକ୍ତରଖାନାରେ ଲାଗିଥିବା ସିସି ଟିଭିଗୁଡ଼ିକୁ ସଜାଡ଼ିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ପୁଣି ଏଭଳି ପରିସ୍ଥିତର ସାମ୍ନା କରିବାକୁ ପଡିଛି ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related posts