କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲ ତହସିଲ୍ ତରଫରୁ ବଂଶାଜାଲ ଗ୍ରାମପଂଚୟତର ସରପାଳ ଗ୍ରାମରେ ପଥରଖାଦାନ ଲିଜ୍ ଦେବାକୁ ନୋଟିସ ଜାରି ହେବା ପରେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ପ୍ରକାଶ ଯେ, ରେଢାଖୋଲ ତହସିଲର ବଂଶାଜାଲ ପଂଚାୟତର ସରପାଳ ଗ୍ରାମ ନିକଟରୁ ୧୦୦ ମିଟରେ ଦୂରରେ ରେଢାଖୋଲ ତହସିଲ ପଥରଖାଦାନ ଲିଜ୍ ଦେବାକୁ ନୋଟିସ୍ ଜାରି କରିଛି । ଏଠାରେ ପଥର ଖାଦାନ ହେଲେ ଗ୍ରାମରେ ଚାଷ ଜମି ପଥର ଗୁଣ୍ଡରେ ନଷ୍ଟ ହେବା ସହ ନିକଟସ୍ଥ ଜଙ୍ଗଲରେ ପଥର ଗୁଣ୍ଡ ପଡି ନଷ୍ଟ ହୋଇଯିବ । ଯା ଫଳରେ ସେଇ ଜଙ୍ଗଲରେ ଗାଈ ଗୋରୁମାନେ ଚରିପାରିବେ ନାହିଁ । ସେଠାରେ ପଥର ବ୍ଲାଷ୍ଟିଙ୍ଗ ହୋଇ ଘରଦ୍ୱାର ଭାଙ୍ଗିଯିବାର ସଂଭାବନା ରହିଛି ବୋଲି ଗ୍ରାମବାସୀ ଲିଖିତାକାରରେ ରେଢାଖୋଲ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ସରପାଳ ଗ୍ରାମସହ ଆଖପାଖ ଗ୍ରାମଗୁଡିକ ଦୂଷିତ ହେବାର ସଂଭାବନା ରହିଛି ।
ଏହି ପଥର ଖାଦାନକୁ ୫ବର୍ଷ ପାଇଁ ହିଁ ଲିଜ୍ ଦିଆଯିବାକୁ ତହସିଲ ତରଫରୁ ନୋଟିସ୍ ହୋଇଛି । ଗତ ୧୮ ମଇ ରେ ଗ୍ରାମରେ ହେବାକୁଥିବା ପଥର ଖାଦାନକୁ ୫ବର୍ଷ ପାଇଁ ଲିଜ୍ ଦିଆଯିବାର ଅଛି ଯଦି ଗ୍ରାମବାସୀଙ୍କର ଅଭିଯୋଗ ଅଛି ୧୫ ଦିନ ଭିତରେ ରେଢାଖୋଲ ତହସିଲରେ ଅଭିଯୋଗ କରିବାକୁ ନୋଟିସ୍ ମଧ୍ୟ ହୋଇଥିଲା । ଏହା ପରେ ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଥରଖାଦାନ ପ୍ରତ୍ୟାହାର କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତାକାରରେ ଅଭିଯୋଗ କରିଛନ୍ତି । ଯଦି ସରକାର ଏହି ଖାଦାନ ଲିଜ୍କୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି । ଏ ସଂପର୍କରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନଥିଲା ।