ଆଳି: ଛାତ୍ରସଂସଦ ନିର୍ବାଚନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ମହାବିଦ୍ୟାଳୟରେ ଉତ୍ତେଜନା ତୀବ୍ର ହୋଇଛି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଓ ହଙ୍ଗାମା ପରେ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ (ସାଇନ୍ ଡାଏ) ଘୋଷଣା କରାଯାଇଛି। ଏଥିସହ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି।
କଲେଜ ଅଧ୍ୟକ୍ଷ ଅସିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନଠାରୁ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିଲା। ଆଜି ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଅଧିକ ତୀବ୍ର ହେବାରୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କଲେଜକୁ ସାଇନ୍ ଡାଏ ଘୋଷଣା କରାଯାଇଛି।
ଏହି ଘଟଣାକୁ ନେଇ ମହାବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, କେତେକ ଦୁର୍ବୃତ୍ତ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିବା ସହ ନିର୍ବାଚନ ସମ୍ପର୍କିତ ଫାଇଲ୍ ଏବଂ ସିସିଟିଭିର ହାର୍ଡଡିସ୍ ନେଇଯାଇଛନ୍ତି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜ ଫାଟକ ସମ୍ମୁଖ ରାସ୍ତାରେ ଧାରଣା ଦେଇଥିଲେ।
ଖବର ପାଇ ଆଳି ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।
ସୂଚନା ଅନୁଯାୟୀ, ଲକ୍ଷ୍ମୀବରାହ ମହାବିଦ୍ୟାଳୟ ଛାତ୍ରସଂସଦର ମୋଟ ୭ଟି ପଦବୀ ପାଇଁ ୯ ଜଣ ପ୍ରାର୍ଥୀ ଗୁରୁବାର ଦିନ ନାମାଙ୍କନ ଦାଖଲ କରିଥିଲେ। ସଭାପତି ଓ ସମ୍ପାଦକ ପଦବୀ ପାଇଁ ଦୁଇଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ଅନ୍ୟ ୫ଟି ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀ ଥିଲେ।
ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ସଭାପତି ଓ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଥିଲେ। ଏହାପରେ ଗୋଟିଏ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ଦାବି କରି ସମର୍ଥକମାନେ ଶୋଭାଯାତ୍ରାରେ ବିଜୟ ଉତ୍ସବ ପାଳନ କରିଥିଲେ।
ଅନ୍ୟପକ୍ଷରେ, ବିପକ୍ଷ ଛାତ୍ର ସଂଗଠନର ଶତାଧିକ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରି ହୋହଲ୍ଲା କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ କଲେଜ ଅଧ୍ୟକ୍ଷ ପକ୍ଷପାତ କରିଥିବା ଅଭିଯୋଗ କରି ସେମାନେ ନିର୍ବାଚନ ବାତିଲ୍ ପାଇଁ ଦାବି କରିଥିଲେ। ଏହାକୁ ନେଇ ଶୁକ୍ରବାରଠାରୁ କଲେଜ ପରିସରରେ ଅଶାନ୍ତ ପରିସ୍ଥିତି ଲାଗି ରହିଥିଲା।
କଲେଜ ଅଧ୍ୟକ୍ଷ ଅସିତ ରାଉତରାୟ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଛାତ୍ରସଂସଦ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କଲେଜ ବନ୍ଦ ଓ ନିର୍ବାଚନ ବାତିଲ୍ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।


