206 ବିଧାୟକଙ୍କ ଉପରେ କରୋନା ବିପଦ ! କାଲି ମତଦାନ କରିଥିବା ଜଣେ ବିଧାୟକ କରୋନା ପଜିିଟିଭ୍ ଚିହ୍ନଟ

Published: Jun 20, 2020, 5:23 pm IST

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାପ୍ତ ହୋଇସାରିଛି । ଏହାର ପରିଣାମ ମଧ୍ୟ ଆସିଛି । ମଧ୍ୟପ୍ରଦେଶରେ ତିନୋଟି ଆସନରୁ ଦୁଇଟି ଆସନରେ ବିଜେପି ବାଜିମାତ୍‌ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ବାଜିମାତ୍‌ କରିଛନ୍ତି । କଂଗ୍ରେସ ତରଫରୁ ଦିଗ୍‌ବିଜୟ ସିଂହ ନିର୍ବାଚିତ ହୋଇଥିବାବେଳେ ବିଜେପି ତରଫରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିନ୍ଦ ସୋଲଙ୍କୀ ଜିତିଛନ୍ତି । ତେବେ ଏହି ନିର୍ବାଚନ ପରେ ରାଜ୍ୟର ସମସ୍ତ 206 ଜଣ ବିଧାୟକଙ୍କ ଉପରେ ଅନ୍ୟ ଏକ ବିପଦ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ସାଂସଦ ନିର୍ବାଚନରେ ମତଦାନ ଦେଇଥିବା ଜଣେ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ବିଧାୟକଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏହି ସୂଚନା ଆସିବା ପରେ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।

ମନ୍ଦସୌର ଜିଲ୍ଲାର ଜାବଦର ବିଧାୟକ ଜଣକ କରୋନାରେ ପଜିଟିଭ୍‌ ହେବା ପରେ ଅନ୍ୟ ବିଧାୟକମାନେ ଭୋପାଳ ଯାଇ ଜେପି ହସ୍ପିଟାଲରେ ସାମ୍ପଲ୍‌ ପରୀକ୍ଷା କରିଛନ୍ତି । ଆକ୍ରାନ୍ତ ବିଧାୟକ ଜଣକ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇ ବୈଠକରେ ମଧ୍ୟ ସାମିଲ୍‌ ହୋଇଥିଲେ । ଏହି ଆକ୍ରାନ୍ତ ବିଧାୟକଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ୍‌କରଙ୍କ ସମ୍ପର୍କରେ ମଧ୍ୟ ଆସିଥିଲେ ।

ତେବେ ଏହି ଘଟଣାକୁ ନେଇ କଂଗ୍ରେସର ଅନ୍ୟତମ ପ୍ରବକ୍ତା ବିଧାୟକଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବିଧାୟକଙ୍କୁ କ୍ବାରେଣ୍ଟିନ୍‌ କରାଯାଉ ବୋଲି କହିଛନ୍ତି । ବିଧାୟକଙ୍କ ଏପରି ଦାୟିତ୍ବହୀନତାକୁ ସମାଲୋଚନା କରିଛି କଂଗ୍ରେସ । (ଏଜେନ୍ସି)

Related posts