ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାଲୁଗାଁ ଗସ୍ତ : ସାତ ଦିନ ପାଇଁ ବାଲୁଗାଁ ମାଛ ମାର୍କେଟକୁ କଲେ ସଟ୍‌ଡାଉନ୍‌

Published: Jul 18, 2020, 3:49 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ମାର୍କେଟରୁ ଗତକାଲି ଜଣେ ସ୍ଥାନୀୟ ମାଛ ବେପାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଘଟଣାକୁ ଗୁରୁତର ଭାବେ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଉପଜିଲ୍ଲାପାଳ ଅଶୋକ ବେଉରିଆ ଏବଂ ଡ଼ି.ଏସ.ପି ସତୀଶ ପାଢ଼ୀ ଆଦି ବାଲୁଗାଁ ଚିଲିକା କୁଳ ସ୍ଥିତ ମାଛ ମାର୍କେଟ ଏବଂ ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ବଡ଼ର ନାଭାଲ ଛକ ପରିଦର୍ଶନ ପାଇଁ ଆସିଥିଲେ । ଜିଲ୍ଲାପାଳ ଚିଲିକା କୁଳ ମାଛ ମାର୍କେଟକୁ ଆଜିଠାରୁ ୭ ଦିନ ଯାଏଁ ସଟ ଡ଼ାଉନ ଘୋଷଣା କରିବା ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଛ ଗୋଦାମ ଏବଂ ତାଙ୍କର  ସମସ୍ତ ବରଫ ଫାକ୍ଟ୍ରି କୁ ସିଲ କରାଯାଇଛି ।

ବାଲୁଗାଁ ମାଛ ମାର୍କେଟକୁ ବିଶୋଧନ କରାଯାଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରେ ଥିବା ସମସ୍ତ ମାଛକୁ ପ୍ରଶାସନ ଦ୍ୱାରା ନଷ୍ଟ କରିଦିଆଯାଇଛି ।  ଜିଲ୍ଲାପାଳ ସମସ୍ତ ମାଛ ବେପାରୀ ଏବଂ ଗ୍ରାମବାସୀଙ୍କୁ ଯେମିତି ଗଞ୍ଜାମ ଜିଲ୍ଲାରୁ କୌଣସି ବ୍ୟକ୍ତି ବାଲୁଗାଁ ଭିତରକୁ ପ୍ରବେଶ ନ କରିପାରିବେ ସେଥିପାଇଁ ସତର୍କ ରହିବାକୁ ଅନୁରୋଧ କରିଥିଲେ । ଏହି ସାତ ଦିନ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଏହାପରେ ଜିଲ୍ଲାପାଳ ଓ ତାଙ୍କ ଟିମ ନାଭାଲ ବର୍ଡର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିବା ସହ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ନେଇଥିବା ପଦକ୍ଷେପ ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ,ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts