କେରଳ : ଅଫିସ୍ରେ ହେଉ ଅଥବା ଘରେ କାମ କରିବା ବେଳେ ସ୍ମାର୍ଟଫୋନ୍ ନହେଲେ ଲାପଟପ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍କୁ ଅନାଇ କାମ କରିବାକୁ ପଡୁଛି । ଏଥିପାଇଁ ଆମକୁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବାନ୍ଧି ହୋଇ ବସିବାକୁ ପଡୁଛି। ଏବେ କିନ୍ତୁ ଏହି ଗୋଟିଏ ଜାଗାରେ ଆଉ ବାନ୍ଧି ହୋଇ ନ ବସି ମୁକ୍ତ ଭାବେ କାମ କରିପାରିବେ । ଆଜ୍ଞା ହଁ, କେରଳର ଏର୍ଣ୍ଣାକୁଲମ୍ସ୍ଥିତ ଏକ ଷ୍ଟାର୍ଟଅପ୍ ନିମୋ ପ୍ଲାନେଟ୍ ପକ୍ଷରୁ ଏକ ସ୍ମାର୍ଟ ଚଷମା ପ୍ରସ୍ତୁତ କରାଯାଇଛି, ଯାହାକୁ ପିନ୍ଧି ଜଣେ ଯେକୌଣସି ସ୍ଥାନରେ କମ୍ପ୍ୟୁଟର କିମ୍ବା ଲ୍ୟାପଟପ ନଥାଇ ବି ସହଜରେ କାମ କରିପାରିବେ ।
ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ରୋହିଲଦେବ ନଟ୍ଟୁଲିଙ୍ଗର ତିନି ବର୍ଷ କାଳ ଲାଗି ‘ନିମୋ’ ନାମକ ଏକ ବିଶେଷ ପ୍ରକାର ଚଷମା ପ୍ରସ୍ତୁତ କରିଛନ୍ତି ଯାହା କାମ କରିବାର ପାରମ୍ପରିକ ଶୈଳୀ ବଦଳାଇ ଦେଇ ଭର୍ଚୁଆଲ ଦୁନିଆକୁ ନେଇଯାଇଥାଏ । ଯେଉଁଠି ଜଣେ ଏକାଧିକ କମ୍ପ୍ୟୁଟର ସ୍କ୍ରିନ୍ ଏବଂ ସ୍ଥିର ଡେସ୍କଟପ ଥିବା ଅଫିସରେ କାର୍ଯ୍ୟ କରିବାର ଅନୁଭବ ପାଇବେ। ଏହାକୁ ପିନ୍ଧି ଜଣେ ଏକକାଳୀନ 6ଟି କମ୍ପ୍ୟୁଟର ସ୍କ୍ରିନ୍ରେ କାମ କରିପାରିବେ । ପ୍ରତ୍ୟେକ ଭର୍ଚୁଆଲ ସ୍କ୍ରିନ୍ 60 ଇଞ୍ଚ ପର୍ଯ୍ୟନ୍ତ ଚଉଡା ହୋଇଥିବା ବେଳେ ତିନିମିଟର ଲେଖାଏଁ ଦୂରତାରେ ରହିଛି । (ଏଜେନ୍ସି)