ରମେଶ ମହାନ୍ତି
ଜଗତସିଂହପୁର:-ଏରସମା ବ୍ଲକର ଗୋଟେ ଦୁଇଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟସବୁ ପଞ୍ଚାୟତରେ ମାଛ ଚାଷ ବ୍ୟାପକ ହେଉଥିବାର ଲକ୍ଷ୍ୟ କରାଯାଇଛି । ଚିଙ୍ଗୁଡି ଘେରି କରି ଲୋକେ ଜୀବିକା ନିର୍ବାହ କରିଥାନ୍ତି । ସୂଚନାନୁଯାୟୀ ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର ଚାଉଳିଆ ଗ୍ରାମରେ ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ୬୦ରୁ ଉର୍ଦ୍ଧ୍ବ ଲୋକ ଚିଙ୍ଗୁଡି ଘେରି କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି । ପ୍ରାୟ ସମସ୍ତେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆର୍ଥିକ ସହାୟତା ନେଇ ଚିଙ୍ଗୁଡି ଚାଷ କରିଥାନ୍ତି । ଜାଆଁଳ, ମାଛ ଖାଦ୍ୟ,ଚୂନ ଏବଂ ଘେରିର ଅନ୍ୟ ସରଞ୍ଜାମ ଏମାନଙ୍କୁ ଘରୋଇସଂସ୍ଥା ଯୋଗାଇବା ସହ ପ୍ରତିବଦଳରେ ମାଛ ନେଇଥାନ୍ତି । ଏହାଦ୍ବାରା ସ୍ଥାନୀୟ ମାଛ ଚାଷୀ ଠକାମିର ଶିକାର ହେବା ସହ ଏରସମା ବ୍ଲକ ମତ୍ସ୍ଯ ଅଧିକାରୀ ଏହି ମାଛ ଚାଷୀଙ୍କୁ ଆବଶ୍ୟକୀୟ ଜ୍ଞାନ କୌଶଳ ଯୋଗାଇ ଦେଉନଥିବା ଅଭିଯୋଗ ହେଉଛି ।
ଘେରି ଲାଇସେନ୍ସ ପାଇଁ ଅଧିକାରୀ ଦେୟ ନେଉଥିଲେ ମଧ୍ୟ ଚାଷୀଙ୍କ ଭଲମନ୍ଦ ବୁଝିବାକୁ ଆସୁନାହାଁନ୍ତି ବୋଲି କୁହାଯାଉଛି। ମାଛ ଚାଷ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ସତ ହେଲେ କିଛି ଅପାରଗ ଓ ଅସାଧୁ ଅଫିସରଙ୍କ ଯୋଗୁଁ ତାହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଜିଲ୍ଲା ମତ୍ସ୍ଯ ଅଧିକାରୀଙ୍କ ସହ ଦେଖାକରିବାକୁ ଏହି ମାଛ ଚାଷୀମାନେ ବହୁବାର ଜିଲ୍ଲା ଅଫିସ୍ କୁ ଯାଇ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହିତ ଦେଖାସାକ୍ଷାତ ସମ୍ଭବ ହୋଇପାରିନାହିଁ ବୋଲି ଅଭିଯୋଗ ହୋଇଛି ।ଏଥିସହିତ ଏରସମା ବିଡିଓ ମଧ୍ୟ ଏମାନଙ୍କୁ ଅଣଦେଖା କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ।