ସୁବର୍ଣ୍ଣପୁର: ସୋନପୁର ସହରର ଘୋଡ଼ାଘାଟ ପଡ଼ା ସ୍ଥିତ ନିଜ ବାସଭବନରୁ ଜଣେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ସେ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଜଣକ ହେଲେ ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଠାରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ତରୁଣାନନ୍ଦ ସାହୁ। ପରିବାର ଲୋକଙ୍କ ସୂଚନା ମୁତାବକ, ତରୁଣାନନ୍ଦ ଗତକାଲି ସନ୍ଧ୍ୟାରେ ସହରକୁ ବୁଲିବାକୁ ଯାଇଥିଲେ ଏବଂ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରିଥିଲେ। ସେ କିଛି ଦିନ ହେବ ମାନସିକ ଚାପରେ ଥିଲେ। ରାତିରେ ଖାଇସାରିବା ପରେ ସେ ଶୋଇବାକୁ ଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।


